ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଣଜୀ ଟ୍ରଫି ମ୍ୟାଚରେ ପୁଣି ଚମକିଲା ଓଡ଼ିଶା। ଟ୍ରଫିର ସପ୍ତମ ମ୍ୟାଚରେ ଆସାମକୁ ଗୋଟିଏ ଇଂନିସ ଓ ୩ ରନ୍‌ରେ ପରାସ୍ତ କଲା ଓଡ଼ିଶା। ଇଂନିସ ବିଜୟ ପାଇଁ ଓଡ଼ିଶାକୁ ୭ ପଏଣ୍ଟ ମିଳିଛି। ଏହାସହ ଓଡ଼ିଶା ମୋଟ୍‌ ୩୫ ପଏଣ୍ଟ ପାଇଁ ଗ୍ରୁପ୍‌ ‘ସି’ର ଶୀର୍ଷରେ ରହିଛି।

ଏହି ମ୍ୟାଚରେ ଆସାମ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ ଆସିଥିବା ଓଡ଼ିଶା ଦଳର ଦୁଇ ଓପନର ଦମଦାର ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ସାନ୍ତନୁ ମିଶ୍ର ୬୬ ଓ ଅନୁରାଗ ଷଢ଼ଙ୍ଗୀ ୫୮ ରନ୍‌ କରିଥିଲେ। ପରେ ଦଳୀୟ ସ୍କୋର ୯୬ ହୋଇଥିବା ବେଳେ ଅନରାଗ ଆଉଟ ହୋଇଯାଇଥିଲେ।

ପରେ ଦଳ ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୫୮, ବିପ୍ଲବ ସାମନ୍ତରାୟ ୩୭, ଅଭିଷେକ ରାଉତ ୭୧, ଦେବବ୍ରତ ପ୍ରଧାନ ୭୯, ସୂର୍ଯ୍ୟକାନ୍ତ ପ୍ରଧାନ ୩୧ ରନ୍‌ କରିଥିଲେ। ଫଳରେ ଦଳ ସମସ୍ତ ଓ୍ଵିକେଟ ହରାଇ ୪୩୬ ରନ୍‌ କରିଥିଲା।

ପରେ ଆସାମ ପ୍ରଥମ ଇଂନିସ ଆରମ୍ଭ କରିଥିଲା। ହେଲେ ଦଳ ଏଥିରେ ଭଲ ପ୍ରଦର୍ଶନ କରିପାରିନଥିଲା। ଆସାମ ପକ୍ଷରୁ ରିଷଭ ଦାସ ୩୭, ରିୟାନ ପରାଗ ୪୩, କୁନାଲ ସାଇକିଆ ୫୨ ଓ ରଂଜିତ ମାଳି ୫୯ ରନ୍‌ କରିଥିଲେ। ଦେବବ୍ରତ ପ୍ରଧାନଙ୍କ ଦୁର୍ଦ୍ଦଶ ବୋଲିଂରେ ଧରାଶାୟୀ ହୋଇଯାଇଥିଲା ଆସାମ ଦଳ। ଫଳରେ ଆସାମ ୨୩୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ପୁଣି ଆସାମ ଦ୍ଵିତୀୟ ଇଂନିସ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଦୁଇ ଓପନ୍‌ର ପାଳି ସମ୍ଭାଳିଥିଲେ। ହେଲେ ଦୁଇ ଓପନର ଆଉଟ ହୋଇଯିବା ପରେ କୌଣସି ବି ବ୍ୟାଟ୍ସମ୍ୟାନ ପଡ଼ିଆରେ ତିଷ୍ଠି ପାରିନଥିଲେ। ଦଳ ପକ୍ଷରୁ ଶୁଭମ ମଣ୍ଡଳ ୭୪ ଓ କୁନାଲ ସାଇକିଆ ୭୨ ରନ୍‌ କରିଥିଲେ। ଫଳରେ ଦଳ ୧୯୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

ଏଥିରେ ମଧ୍ୟ ଦେବବ୍ରତ ପ୍ରଧାନଙ୍କ ଦବଦବା ଦେଖିବାକୁ ମିଳିଥିଲା। ଦେବବ୍ରତ ୩ ଓ ରାଜେଶ ମହାନ୍ତି ୪ ଓ୍ଵିକେଟ ନେଇଥିଲେ। ଦେବବ୍ରତ ପ୍ରଧାନ ଏହି ମ୍ୟାଚରେ ମୋଟ୍‌ ୭ଟି ଓ୍ଵିକେଟ ନେଇଥିଲେ। ଫଳରେ ଓଡ଼ିଶା ଗୋଟିଏ ଇଂନିସ ଓ ୩ ରନ୍‌ରେ ବିଜୟୀ ହୋଇଛି।

Comment