ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ବିପ୍ଲବୀ କବି ରବି ସିଂଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକର ସତୀ ଚଉରାରେ ରବି ସିଂଙ୍କ ଶେଷକୃତ୍ୟ କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ହୋଇଥିଲା।
ରବିବାର ବିପ୍ଲବୀ କବି ରବି ସିଂଙ୍କ ପରଲୋକ ଘଟିଥିଲା। ସେ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। କଟକ ଏସ୍ସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
ଜଗତସିଂହପୁର ଜିଲ୍ଲା ନବାପାଟଣାସ୍ଥିତ ସିଂହାରପୁର ଗ୍ରାମରେ ୧୯୩୩ ଫେବ୍ରୁଆରି ୧୮ତାରିଖରେ କବି ରବି ସିଂ ଜନ୍ମ ଗ୍ରହଣ କରିଥିଲେ। ମାତା ସାରଦା ଦେବୀ ଓ ପିତା ରାମଚନ୍ଦ୍ର ସିଂହ। ଭାରତ ଛାଡ଼ ଆନ୍ଦୋଳନରେ ରବି ସିଂଙ୍କ ପରିବାର ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇପଡିବାରୁ ସେ ବିଦ୍ୟାଳୟ ପାଠପଢ଼ାରୁ ବଞ୍ଚିତ ହୋଇଥିଲେ। କିଶୋରବସ୍ଥାରେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।
ପରବର୍ତ୍ତି ସମୟରେ ସାହିତ୍ୟକୁ ଉଭୟ ବୃତ୍ତି ଓ ପ୍ରବୃତ୍ତି ଭାବେ ଗ୍ରହଣ କରିନେଇଥିଲେ। ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷା ସାହିତ୍ୟକୁ ଅନାୟସରେ ଆୟତ୍ତ କରିପାରିଥିଲେ। ବୈପ୍ଲବିକ ଚିନ୍ତା, ମାନବିକତାର ବାର୍ତ୍ତା ଓ ସାମାଜିକ ଚେତନାଧର୍ମୀ ଲେଖନି ଚାଳନା ତାଙ୍କୁ ଯଶସ୍ୱୀ କବି ଭାବରେ ପ୍ରସିଦ୍ଧି ଆଣିଦେଇଥିଲା।
‘ପରାସ୍ତ ସୈନିକ’ ଓ ‘ଚଳନ୍ତିକା’ ଗଳ୍ପ ସଂକଳ୍ପନ ପ୍ରକାଶ ପାଇବା ପରେ ‘ପଥପ୍ରାନ୍ତର କବିତା’ ତାଙ୍କ ଆଦ୍ୟ ଜୀବନର ପ୍ରଥମ କବିତା ସଂକଳନ। ପରେ ପ୍ରାୟ ୩୦ରୁ ଅଧିକ କବିତା ସଂକଳନ ପ୍ରକାଶ କରି ସ୍ୱର୍ଗତ ରବି ସିଂହ ନିଜ ସାହିତ୍ୟ କୃତିକୁ ପରିପୃଷ୍ଠ କରିପାରିଥିଲେ। ‘ନିଃସଙ୍ଗ ପଦାତିକ’ ହେଉଛି ତାଙ୍କ ଆତ୍ମଜୀବନୀ।
ଜୀବନୀବ୍ୟାପି ସାହିତ୍ୟ ସାଧନା ପାଇଁ ୧୯୬୨ ମସିହାରେ ତାଙ୍କୁ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୭ରେ ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଲାଭ କରିଥିଲେ। ସେହିପରି ‘ସୋଭିଏତ୍ ଦେଶ ନେହେରୁ ସମ୍ମାନ’, ‘ସାହିତ୍ୟ ଭାରତୀ ସମ୍ମାନ’, ‘ସାରଳା ପୁରସ୍କାର’ ଆଦି ସମ୍ମାନ ତାଙ୍କ ସାହିତ୍ୟ ସାଧନାକୁ ସ୍ୱୀକୃତି ଦେଇଥିଲା।