ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: କଟକ ବଡ଼ ଡାକ୍ତରଖାନା ନୂଆ ଇତିହାସ ରଚିଛି। ବହୁ ପ୍ରତୀକ୍ଷିତ ‘କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ’ ସଫଳ ହୋଇଛି। ଜଣେ ମୃତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ଉଦ୍ଧାର କରି ଅନ୍ୟ ଜଣେ ଜୀବିତ ବ୍ୟକ୍ତିଙ୍କଠାରେ ସଫଳ ଭାବେ ପ୍ରତ୍ୟାରୋପଣ କରାଯାଇଛି। ଦୀର୍ଘ ୧୪ ଘଣ୍ଟାର ଏ ଲମ୍ବା ଅଭିଯାନ ଓ ଅଙ୍ଗଦାନ-ପ୍ରତ୍ୟାରୋପଣ ପ୍ରକ୍ରିୟା’ ରାଜ୍ୟର ଚିକିତ୍ସା ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଡାକ୍ତରୀ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ଅସ୍ତ୍ରୋପଚାରରେ ନୂଆ ଜୀବନ ପାଇଛନ୍ତି ବରଗଡ଼ ଜିଲ୍ଲା ଅତାବିରା କୁହୁଣ୍ଡାର ଫିରୋଜ ସାହୁ। ଫିରୋଜଙ୍କର ଦୁଇଟିଯାକ କିଡ୍‌ନୀ ଅକାମୀ ହୋଇଯାଇଥିଲା। ତାଙ୍କୁ ଜୀବୀତ ରଖିବା ପାଇଁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବାସିନ୍ଦା ପି. ପ୍ରିୟଙ୍କାରାଣୀ ପାତ୍ର (୨୨)। ‘କାଡାଭର୍’ ବା ‘ମୃତ ଡୋନର୍’ ଭାବେ ତାଙ୍କ ଶରୀରରୁ ଗୋଟିଏ କିଡ୍‌ନୀ ଅଣାଯାଇ ଫିରୋଜଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ଫିରୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଏସ୍‌ସିବି ପକ୍ଷରୁ କୁହାଯାଇଛି।

ରାଜ୍ୟ ଚିକିତ୍ସା ବିଜ୍ଞାନ ଇତିହାସରେ ସଫଳତାର ଏହି ନୂଆ ଅଧ୍ୟାୟ ଲେଖିବା ପାଇଁ ଦୀର୍ଘ ୧୪ ଘଣ୍ଟା ଧରି ଚାଲିଥିଲା ଅଭିଯାନ। ସୋମବାର ଅପରାହ୍‌ଣ ସାଢେ ୫ଟାରୁ ଆରମ୍ଭ ହୋଇଥିବା ଅଭିଯାନ ଶେଷ ହୋଇଥିଲା ମଙ୍ଗଳବାର ସକାଳ ସାଢେ ୭ଟାରେ।

ସୋମବାର ଅପରାହ୍‌ଣ ସାଢେ ୫ଟାରେ ଖବର ମିଳିଲା ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପି. ପ୍ରିୟଙ୍କାରାଣୀ ପାତ୍ରଙ୍କର ବ୍ରେନ୍ ଡେଡ୍ ହୋଇଯାଇଛି। ତେବେ ମସ୍ତିଷ୍କ ବ୍ୟତୀତ ତାଙ୍କ ଶରୀରର ଅନ୍ୟ ଅଙ୍ଗଗୁଡିକ ଜୀବିତ, ସକ୍ରିୟ ଥିବାରୁ ଅଙ୍ଗଦାନ ପାଇଁ ଖବର ଆସିଥିଲା ଏସ୍‌ସିବି ମେଡିକାଲରେ ଥିବା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ୍ ଅର୍ଗାନାଇଜେସନ୍ (ସୋଟୋ)କୁ । ସୋଟୋ ନିକଟରେ ଖବର ପହଞ୍ଚିବା ମାତ୍ରେ ସଂସ୍ଥାର ନୋଡାଲ୍ ଅଫିସରଙ୍କ ସମେତ ଅନ୍ୟ କର୍ମଚାରୀମାନେ ପହଞ୍ଚି ଯାଇଥିଲେ ଆପୋଲୋ ହସ୍ପିଟାଲରେ।

ଆପୋଲୋ ହସ୍ପିଟାଲ୍ ଡାକ୍ତରୀ ଟିମ୍ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ନିରୀକ୍ଷା କରି ପ୍ରିୟଙ୍କାରାଣୀ ପାତ୍ରଙ୍କର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ମୃତକଙ୍କଠାରୁ କେଉଁ ଅଙ୍ଗ କଢ଼ାଯାଇ ଅନ୍ୟ କେଉଁ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ ସେକଥା ନିଷ୍ପତ୍ତି ନେଇଥିଲା ସୋଟୋ।

କାଡ଼ାଭରିକ୍ ଟ୍ରାନ୍ସପ୍ଲାଣ୍ଟକୁ ନେଇ ଏସ୍‌ସିବି ମେଡିକାଲର ୟୁରୋଲୋଜି ବିଭାଗ, ନେଫ୍ରୋଲୋଜି ବିଭାଗ, ଡିଏମ୍ଇଟି ଓ କୋଲକାତାସ୍ଥିତ ରିଜିଓନାଲ୍ ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ୍ ଅର୍ଗାନାଇଜେସନ୍ (ରୋଟୋ) ମଧ୍ୟରେ ଆଇନଗତ ଦିଗ ସମ୍ପର୍କରେ ବିଚାର ବିମର୍ଶ ବି କରାଯାଇଥିଲା। କିପରି ମୃତକଙ୍କଠାରୁ ଜୀବିତ ଅଙ୍ଗ ସଂଗ୍ରହ କରାଯାଇ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ ସେ ନେଇ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ଲିଣ୍ଟ୍।

ଅପରାହ୍‌ଣ ସାଢେ ୫ଟାରୁ ରାତି ସାଢ଼େ ୧୦ଟା ମଧ୍ୟରେ ସରକାରୀ ସ୍ତରରେ ସମସ୍ତ ଅନୁମତି ଆଦି ମିଳିଯିବା ପରେ, ଅପରେସନ୍ ପାଇଁ ପ୍ରସ୍ତୁତି କରିଥିଲା ଏସ୍‌ସିବି ୟୁରୋଲୋଜି ବିଭାଗ। ରାତି ପ୍ରାୟ ୧୧ଟାରେ ଦ୍ଵିତୀୟବାର ପରୀକ୍ଷା କରି ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା ପ୍ରିୟଙ୍କାଙ୍କୁ। ତାପରେ ବିଳମ୍ବିତ ରାତିରେ ଏସ୍‌ସିବି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଓ ତାଙ୍କ ଟିମ୍ ହସ୍ପିଟାଲରେ ପହଞ୍ଚି ମୃତକଙ୍କଠାରୁ କିପରି କିଡ୍‌ନୀ ସଂଗ୍ରହ କରାଯିବ ଏବଂ ତାହାକୁ କିପରି ତୁରନ୍ତ ସୁରକ୍ଷିତ ସ୍ୱତନ୍ତ୍ର ପଦ୍ଧତିରେ ସଂରକ୍ଷିତ କରି ଅଣାଯିବ ସେନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରିଥିଲେ।

କିଡ୍‌ନୀ ପ୍ରତିରୋପଣ ପାଇଁ ଫିରୋଜଙ୍କର ମଧ୍ୟ ପ୍ରାକ୍ ଚିକିତ୍ସା କରାଯାଇଥିଲା। ଗୋଟିଏ ଟିମ୍ ଆପୋଲୋ ହସ୍ପିଟାଲରେ ରହିଥିବା ବେଳେ ଆଉ ଏକ ଟିମ୍ ଏସ୍‌ସିବି ୟୁରୋଲୋଜି ବିଭାଗରେ ସଜାଗ ରହିଥିଲେ।

ଆପୋଲୋ ହସ୍ପିଟାଲରୁ ଏସ୍‌ସିବି ଡାକ୍ତରଖାନା ମଧ୍ୟରେ ଦୂରତା୨୭ କିଲୋମିଟରର ରହିଥିଲେ ମଧ୍ୟ ଉଭୟ ଟିମ୍ ମଧ୍ୟରେ ସମନ୍ୱୟ ରଖାଯାଇ ସମାନ୍ତରାଳ ଭାବେ ଚାଲିଥିଲା ପ୍ରସ୍ତୁତି। ଶେଷରେ ଭୋର୍ ୪ଟା ୧୦ରେ ସରିଥିଲା କିଡ୍‌ନୀ ଉଦ୍ଧାର। ଭୋର୍ ପ୍ରାୟ ୫ଟା ୧୫ରେ ଏସ୍‌ସିବି ୟୁରୋଲୋଜି ବିଭାଗରେ ପହଞ୍ଚିଥିଲା କିଡ୍‌ନୀ।  ପ୍ରଫେସର ହୋତାଙ୍କ ପାଞ୍ଚ ଜଣିଆ ଟିମରେ ଥିବା ୟୁରୋଲୋଜି ବିଶେଷଜ୍ଞମାନେ ଅପରେସନ୍ କରି କିଡ୍‌ନୀ ପ୍ରତିରୋପଣ କରିଥିଲେ।

Comment