ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟର ବିଭିନ୍ନ ସ୍ଥାନରେ ନଦୀ ପାର୍‌ ହେବାକୁ ଲୋକମାନେ ଦେଶୀ ଡଙ୍ଗାର ସହାୟତା ନେଉଛନ୍ତି। ଦେଶୀ ଡଙ୍ଗାକୁ ସରକାର ବେଆଇନ ଘୋଷଣା କରିଥିଲେ ମଧ୍ୟ ଏହାକୁ ମାନୁନାହନ୍ତି ଡଙ୍ଗା ମାଲିକ। ଅନ୍ୟପକ୍ଷରେ ଲୋକମାନଙ୍କ ପାଖରେ ମୋଟର ଚାଳିତ ଡଙ୍ଗାର ବିକଳ୍ପ ନଥିବାରୁ ଲୋକ ବାଧ୍ୟ ହୋଇ ଦେଶୀ ଡଙ୍ଗାରେ ନଦୀ ପାର୍‌ ହେଉଛନ୍ତି।

କୋରାପୁଟ ଜିଲ୍ଲାରେ କିଛି ଗାଁକୁ ନଦୀ, ନାଳ ଘେରି ରହିଛି। ସେହି ଗାଁର ଲୋକଙ୍କୁ ଯାତୟାତ କରିବା ପାଇଁ ନଦୀ ପାର୍‌ ହେବାକୁ ପଡ଼େ। ତେଣୁ ବ୍ରିଜ ନଥିବାରୁ ଲୋକମାନଙ୍କୁ ନଦୀ ପାର୍‌ ହେବାକୁ ପଡ଼େ। କୋଲାବ ଜଳ ଭଣ୍ଡାର, ଜଲାପୁଟ ଜଳ ଭଣ୍ଡାର, ମୁରାନ ଡ୍ୟାମ ଭଳି ଜଳ ଭଣ୍ଡାରରେ ଦେଶୀ ଡଙ୍ଗା ବ୍ୟବହାର କରାଯାଉଛି।

ସରକାର ଲାଇସେନ୍ସ ପ୍ରାପ୍ତ ଡଙ୍ଗାରେ ଯିବାକୁ ଅନୁମିତ ଦେଇଥିବା ବେଳେ ଡଙ୍ଗାରେ ଅଗ୍ନି ନିର୍ବାପକ, ଲାଇଫ ଜାକେଟ, ଲାଇସେନ୍ସ ପ୍ରାପ୍ତ ୨ଜଣ ଚାଳକ, ଡଷ୍ଟବିନ, ପାନୀୟ ଜଳ ରହିବା ଆବଶ୍ୟକ ବୋଲି କୁହାଯାଇଛି। କିନ୍ତୁ ଏଠାରେ ଚାଲୁଥିବା ଦେଶୀ ଡଙ୍ଗାରେ ଏହି ସବୁ ବ୍ୟବସ୍ଥା ନାହିଁ। ଶହଶହ ଲୋକ ପ୍ରତି ଦିନ ଏହି ଭଳି ବିପଦଶଙ୍କୁଳ ଅବସ୍ଥାରେ ଯାତାୟତ କରିଥାନ୍ତି।

୨ ଦିନ ତଳେ ଚିଲିକାରେ ଡଙ୍ଗାବୁଡ଼ି ଘଟଣା ପରେ କୋରାପୁଟ ବୁଢ଼ି ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଯେପରି ଏଠାରେ ସେହି ଘଟଣା ନଘଟୁ ସେନେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ଦାବି ଜଣାଇଛନ୍ତି ସ୍ଥାନୀୟ ଲୋକ।

୨୦୧୪ ମସିହାଠାରୁ ଡିସେମ୍ବର ୨୦୧୯ ମଧ୍ୟରେ ବିଭିନ୍ନ ସ୍ଥାନରେ ଡଙ୍ଗାବୁଡ଼ି ଘଟଣା ଘଟି ପ୍ରାୟ ୧୫ ଜଣଙ୍କର ପ୍ରାଣହାନୀ ଘଟିଲାଣି। ସେହିଭଳି ୧୯୮୬ ମସିହାରେ କୋଲାବ ଜଳଭଣ୍ଡାର ନିର୍ମାଣ ହେବା ପରେ ଲଙ୍କାପୁଟ ପଞ୍ଚାୟତ ଅଧିନରେ ଥିବା ୧୧ଖଣ୍ଡ ଗ୍ରାମ ଜଳ ଭଣ୍ଡାର ମଧ୍ୟରେ ରହିଯାଇଥିଲା। ଏହି ଜଳ ଭଣ୍ଡାରରେ ୨୦୦୦ ମସିହାଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ୪ ଥର ନୌକା ଦୁର୍ଘଟଣା ଘଟି ୩୩ ଜଣ ପ୍ରାଣ ହରାଇଛନ୍ତି।

Comment