ଓଡ଼ିଶାଲାଇଭ୍ ବ୍ୟୁରୋ

“ରାଜ୍ୟର ଏ ସରକାର ଲୋକମାନଙ୍କୁ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଲୋକମାନେ ଏବେ ବି ଅଧିକ ଦାମ ଦେଇ ବିଜୁଳି କିଣୁଛନ୍ତି”, ଗୁରୁବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

ସେ କହିଛନ୍ତି ଯେ ବଡ଼ ଶିଳ୍ପ ସଂସ୍ଥା ଓ ବିଜୁଳି ବିତରକ କମ୍ପାନିମାନଙ୍କ ଉପରେ ରାଜ୍ୟ ସରକାରଙ୍କ ୧୨ ହଜାର କୋଟି ଟଙ୍କା ବାକି ପଡ଼ିଛି। ଏପରି ପରିସ୍ଥିତିରେ କିନ୍ତୁ ସରକାର ଗରିବ ଲୋକଙ୍କ ବିଜୁଳି କାଟୁଛନ୍ତି ବୋଲି ସେ କହିଛନ୍ତି।

୩୨୨ଟି କମ୍ପାନି ଉପରେ ୫୧୫ କୋଟି ଟଙ୍କାର ଜଳକର ଓ ୨୬ଟି ବଡ଼ କମ୍ପାନି ପାଖରେ ୧୮୭୪ କୋଟି ଟଙ୍କା ବିଦ୍ୟୁତ ବିଲ୍ ବାକିରହିଛି। ଏହାସହ ରାଜ୍ୟ ସରକାର ଓଏଚପିସିକୁ ୫୨୨୫ କୋଟି ଟଙ୍କାର ଜଳକର ମଧ୍ୟ ଛାଡ଼ କରିଛନ୍ତି। ଏହିସବୁ ତଥ୍ୟକୁ ଆଗକୁ ଆଣି ଗୁରୁବାର ଗୋଲକ ରାଜ୍ୟ ସରକାରଙ୍କୁ ହରଡ଼ ଘଣାରେ ପକାଇଛନ୍ତି।

ଏଥିସହିତ ରାଜ୍ୟ ସରକାର ୩ ଟଙ୍କା ୨୧ ପଇସାରେ ବିଜୁଳି ବିକ୍ରି କରି ଅନ୍ୟ ରାଜ୍ୟଠୁ ୩ଟଙ୍କା ୮୧ ପଇସାରେ ବିଜୁଳି କିଣୁଛନ୍ତି। ଏପରି ଘଟଣାକୁ ସେ ଝିଣ୍ଟିକା ମାରି ବଣି ପୋଷିବା ସହ ତୁଳନା କରିଛନ୍ତି।

Comment