ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

‘‘ନାଗରିକତା ସଂଶୋଧନ ଆଇନ୍‌ ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କେତେକ ରାଜନୈତିକ ଦଳ ଭାରତକୁ ଭାଗ ଭାଗ କରିବା ଲାଗି ପାକିସ୍ତାନର ଏଜେଣ୍ଡାକୁ ଆଗେଇ ନେବାର କାର୍ଯ୍ୟ କରୁଛନ୍ତି’’, ସଂସଦରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ପ୍ରଧାନମନ୍ତ୍ରୀ। ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତି ରଖି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ।

ନରେନ୍ଦ୍ର ମୋଦୀ କହିଥିଲେ, ‘‘ପଡ଼ୋଶୀ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ଶରଣାର୍ଥୀମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଆଇନର ସଂଶୋଧନ କରାଯାଇଛି। ଆଇନରେ ସଂଶୋଧନ ଆଣିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମଧ୍ୟ ଚାହୁଁଥିଲେ।’’

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ମୋଦୀ କହିଥିଲେ ଯେ, ଜମ୍ମୁ କଶ୍ମୀର ଦେଶର ମୁଖ୍ୟ ସ୍ରୋତରେ ଯୋଡ଼ି ହୋଇପାରିଛି। ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଲାଭ ଏଠାକାର ଲୋକ ପାଇ ପାରୁଛନ୍ତି। ଆଗରୁ ସେମାନେ ଅବହେଳିତ ଅବସ୍ଥାରେ ଥିଲେ।

‘‘ଜମ୍ମୁ ଓ କଶ୍ମୀରର ବାସ୍ତବ ପରିଚୟ ହେଉଛି ସମସ୍ତ ଧର୍ମବିଶ୍ୱାସ ପ୍ରତି ଏହାର ସମଭାବନା ଓ ଏହାର ସୁଫି ପରମ୍ପରା। ଏହି ଅଞ୍ଚଳ ବିକାଶ ପ୍ରକ୍ରିୟାରେ ପଛରେ ପଡ଼ିପାରିବ ନାହିଁ। ବନ୍ଧୁକ, ବୋମା, ଆତଙ୍କ ଓ ବିଚ୍ଛିନ୍ନତାବାଦ ଦ୍ୱାରା କବଳିତ ହୋଇପାରିବ ନାହିଁ’’, କହିଥିଲେ ମୋଦୀ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜମ୍ମୁ କଶ୍ମୀରରେ ଜାରି ହୋଇଥିବା କଟକଣା ଧୀରେ ଧୀରେ ଉଚ୍ଛେଦ କରାଯାଉଛି। କେନ୍ଦ୍ରମନ୍ତ୍ରୀମାନେ ଜମ୍ମୁ କଶ୍ମୀରର ବିଭିନ୍ନ ଅଞ୍ଚଳକୁ ଗସ୍ତ କରୁଛନ୍ତି। ଲୋକମାନଙ୍କ ଠାରୁ ମତାମତ ସଂଗ୍ରହ କରୁଛନ୍ତି। ସରକାର ନିଶ୍ଚିତ ଭାବେ ଏହି ମତାମତ ଉପରେ କାର୍ଯ୍ୟ କରିବେ।

Comment