ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେବଦୂତ ସାଜି ପ୍ରଖର କେନାଲ ପାଣିରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଦୁଇଜଣ ବାଳକ। ଏହି ଘଟଣା ଘଟିଛି କୋରପୁଟ ଜିଲ୍ଲା ଜୟପୁର ସହରରେ। ବାଳକଙ୍କର ଏଭଳି ସାହସ ପାଇଁ ଟାଉନ ଥାନା ପୋଲିସ ତରଫରୁ ଦୁଇ ବାଳକଙ୍କୁ ସମ୍ମାନିତ କରାଯାଇଛି।

ଜୟପୁର ମୁଖ୍ୟ କେନାଲ କଡ଼ ଦେଇ ସବୁ ଦିନ ପରି ଆଜି ମଧ୍ୟ ଜୟପୁରର ବାଲାଜି ସାହୁ ମର୍ଣ୍ଣିଂ ଓ୍ଵାକ୍‌ କରି ଯାଉଥିଲେ। ହଠାତ ପୁରୁନାଗଡ଼ ନିକଟରେ ମୁଣ୍ଡ ବୁଲେଇବାରୁ ସେ ସେଠାରେ ବସି ପଡ଼ିଥିଲେ। ବସିବା ସମୟରେ କେନାଲ ଭିତରକୁ ଖସିପଡ଼ିଥିଲେ।

ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଉଥିବା ସମୟରେ ଡଙ୍ଗାଗୁଡ଼ାର ସଞ୍ଜୟ ପୂଜାରୀ ଓ କିଷାନ ମାଝୀ କେନାଲ ଭିତରକୁ ଡେଇଁ ବାଲାଜିଙ୍କୁ ଉଦ୍ଧାର କରିଥିଲେ। ପରେ ଖବର ପାଇ ଟାଉନ ଥାନା ପୋଲିସ ଓ ଦମକଳ ବିଭାଗ ପହଞ୍ଚି ବାଲାଜୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଏଭଳି ସାହସିକତା କାର୍ଯ୍ୟ ପାଇଁ ଦୁଇ ବାଳକଙ୍କୁ ଚାରିଆଡୁ ପ୍ରଶଂସାରେ ସୁଅ ଛୁଟୁଛି। ଏହାସହ ଟାଉନ ଥାନା ତରଫରୁ ଦୁଇ ବାଳକଙ୍କୁ ପୁରସ୍କୃତ କରାଯାଇଛି।

Comment