ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ‘ଠେଙ୍ଗା’ ଉପାଖ୍ୟାନ ରାଜନୀତିରେ ଆଣିଛି ଝଡ଼। ଏହି ମନ୍ତବ୍ୟକୁ ନେଇ ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ ଫେରାଇ ନିଅନ୍ତୁ ଦାବି କରି ବିଜେପି ସାଂସଦମାନେ ହଙ୍ଗାମା କରିଥିଲେ।

ଦିଲ୍ଲୀର ଏକ ନିର୍ବାଚନ ରାଲିରେ ଉଦ୍‌ବୋଧନ ଦେଇ ରାହୁଲ ଏହି ‘ଠେଙ୍ଗା’ ମନ୍ତବ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ହିଁ ଏହି ମନ୍ତବ୍ୟ ଦେଇଥିଲେ ରାହୁଲ।

ରାହୁଲ କହିଥିଲେ, ‘‘ନରେନ୍ଦ୍ର ମୋଦୀ ଯେଉଁଭଳି ଭାଷଣ ଦେଉଛନ୍ତି ତାହା ଯୁବପିଢ଼ିଙ୍କୁ ନିରାଶ କରୁଛି। ପରିସ୍ଥିତି ଏମିତି ହେବ ଆଗାମୀ ୬ ମାସ ପର୍ଯ୍ୟନ୍ତ ମୋଦୀ ତାଙ୍କ ବାସଭବନରୁ ବାହାରି ପାରିବେ ନାହିଁ। ଯୁଆଡ଼େ ଯିବେ ଭାରତର ଯୁବକମାନେ ତାଙ୍କୁ ଠେଙ୍ଗା ଦେଖାଇାବେ।’’

ଦିଲ୍ଲୀ ନିର୍ବାଚନ ରାଲିରେ ରାହୁଲଙ୍କ ଏହି ମନ୍ତବ୍ୟ ସଂସଦରେ ଝଡ଼ ସୃଷ୍ଟି କରିଛି। ଶୁକ୍ରବାର ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ଲୋକସଭା ଅଧିବେଶନ। ଗୃହ କାର୍ଯ୍ୟ ଆରମ୍ଭରୁ ଅଚଳ ହୋଇଯାଇଥିଲା। ରାହୁଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସେ ଗୃହରେ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ସାଂସଦମାନେ ଦାବି କରିଥିଲେ।

ଏହାକୁ ନେଇ ବିଜେପି ଓ କଂଗ୍ରେସ ସାଂସଦ ମୁହାଁମୁହିଁ ହୋଇଥିଲେ। ଫଳରେ ଗୃହ କାର୍ଯ୍ୟରେ ବାଧା ଉପୁଜିଥିଲା। ବାଚସ୍ପତି ଗୃହକୁ ଅପରାହ୍‌ଣ ୨ଟା ଯାଏଁ ମୁଲତବୀ ରଖିଥିଲେ।

ରାହୁଲ ଗାନ୍ଧୀ ଲୋକସଭାରେ ନିଜ ନିର୍ବାଚନମଣ୍ଡଳୀ ୱାୟାନାଡାର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାକୁ ନେଇ ପ୍ରଶ୍ନ କରିଥିଲେ। ଉତ୍ତର ଦେବାକୁ ଉଠିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। ସେ ଉତ୍ତର ଦେବା ଆଗରୁ ରାହୁଲ ପ୍ରଥମେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ଏହାସହ ରାହୁଲଙ୍କ ମନ୍ତବ୍ୟକୁ ଗୃହର ସମସ୍ତ ସଦସ୍ୟ ଗୋଟିଏ ସ୍ୱରରେ ନିନ୍ଦା କରିବାକୁ କହିଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ବିଜେପି ଓ କଂଗ୍ରେସ ସାଂସଦଙ୍କ ଭିତରେ କଥା କଟାକଟି ଚାଲିଥିଲା।

Comment