ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଶନିବାର ଶେଷ ହୋଇଛି ଭୋଟ୍‌। ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ କରିଛନ୍ତି ଭୋଟର। ଫେବ୍ରୁଆରି ୧୧ରେ ହିଁ ଜଣାପଡ଼ିବ କିଏ ଆଗାମୀ ପାଞ୍ଚ ବର୍ଷ ପାଇଁ ଦିଲ୍ଲୀରେ ରାଜୁତି କରୁଛି।

ଦିଲ୍ଲୀରେ ଭୋଟ ଭୋଟରଙ୍କ ସଂଖ୍ୟା ହେଉଛି ୧ କୋଟି ୪୩ ଲକ୍ଷ ୧୬ ହଜାର ୪୫୩। ସେମାନଙ୍କ ଭିତରୁ ୮୬ ଲକ୍ଷ ୭୯ ହଜାର ୧୨ ଜଣ ଭୋଟର ମତ ସାବ୍ୟସ୍ତ କରିଥିବା ଜଣାପଡ଼ିଛି। ଲମ୍ବା ଧାଡ଼ିରେ ଆସି ବିଭିନ୍ନ ବୁଥ୍‌ରେ ଭୋଟରମାନେ ଭୋଟ ଦେଇଥିଲେ।

ଗତ ୨୦୧୫ରେ ଆପ୍‌ ୭୦ ଆସନରୁ ୬୭ ଏବଂ  ବିଜେପି ୩ଟି ଆସନ ପାଇଥିଲା। କଂଗ୍ରେସ ଗୋଟିଏ ଆସନ ହାତେଇବାରେ ସମର୍ଥ ହୋଇ ନଥିଲା। ଏଥର ବି ଆପ୍‌ ଏବଂ ବିଜେପି ଭିତରେ କଡ଼ା ଟକ୍କର ଚାଲିଥିଲା। କଂଗ୍ରେସ ପଛରେ ପଡ଼ି ଯାଇଥିଲା।

ମାଗଣାରେ ବିଜୁଳି ଓ ପାଣି, ଉନ୍ନତମାନର ହସ୍ପିଟାଲ ଏବଂ ସ୍କୁଲ ଏବଂ ପୂର୍ବ ସରକାରରେ କରାଯାଇଥିବା କାମର ଗ୍ୟାରେଣ୍ଟି କାର୍ଡକୁ ପ୍ରସଙ୍ଗ କରି ଆପ୍‌ ନିର୍ବାଚନ ପ୍ରଚାର କରିଥିଲା। ଆପ୍‌କୁ ଟକ୍କର ଦେବା ପାଇଁ ବିଜେପି ମଧ୍ୟ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲା।

ବସ୍ତିବାସିନ୍ଦାଙ୍କୁ ପକ୍କା ଘର, ୫ ବର୍ଷରେ ୧୦ ଲକ୍ଷ ନିଯୁକ୍ତି, ପ୍ରତି ଘରକୁ ବିଶୁଦ୍ଧ ପାଣି ଦେବାର ପ୍ରତିଶ୍ରୁତି ଦେଇ ବିଜେପି ଦିଲ୍ଲୀରେ ପ୍ରଚାର କରିଥିଲା। କଂଗ୍ରେସ ମଧ୍ୟ ପ୍ରତିଶ୍ରୁତି ଦେବାକୁ ପଛାଇ ନଥିଲା। ଶୀଲା ଦୀକ୍ଷିତଙ୍କ ଅମଳରେ ହୋଇଥିବା ବିକାଶମୂଳକ କାମ ଏବଂ ବରିଷ୍ଠ ନାଗରିକଙ୍କୁ ଶୀଲା ପେନସନ ଦେବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା।

ଏଥର ଦିଲ୍ଲୀରେ ବିଜେପି ଏବଂ ଆପ୍‌ ଭିତରେ ଲଢ଼େଇ ଜୋରଦାର ହୋଇଥିଲା। କେଜରିୱାଲଙ୍କୁ ଆଗରେ ରଖି ଆପ୍‌ ପ୍ରଚାର କରିଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଆଧାର କରି ବିଜେପି ପ୍ରଚାର କରିଥିଲା। ଏବେ ଦେଖିବାକୁ ବାକି ରହିଲା ଆପ୍‌ ଓ ବିଜେପି ଭିତରୁ କିଏ ବାଜି ମାରୁଛି?

Comment