ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍ଥିକ ମାନ୍ଦା ଅବସ୍ଥା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଅଂଶରେ ହ୍ରାସ ସତ୍ତ୍ୱେ ଓଡ଼ିଶା ସରକାର ଏକ ବଡ଼ ବଜେଟ ଆଣିବା ପାଇଁ ଯାଉଛନ୍ତି। ଆଗରୁ ଏତେ ବଡ଼ ବଜେଟ କେବେ ଆସିନଥିଲା। ସୂଚନା ଅନୁଯାୟୀ ୨୦୨୦-୨୧ ବର୍ଷ ପାଇଁ ବଜେଟ ଦେଢ଼ ଲକ୍ଷ କୋଟି ଟଙ୍କା ଟପି ଯାଇପାରେ।

ଏହି ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଏହାକୁ ପାସ କରାଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ।

ଖବର ମିଳିଛି ଯେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟରେ କୃଷି ଉପରେ ବିଶେଷ ଧ୍ୟାନ ଦିଆଯିବ। ଅବଶ୍ୟ ସରକାର ଆଉ କୌଣସି ନୂଆ ଯୋଜନା ଘୋଷଣା କରିବାର ସମ୍ଭାବନା ନାହିଁ। ତେବେ ବର୍ତ୍ତମାନ ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକୁ କିଭଳି ସୁଦୃଢ଼ କରାଯିବ ତାହା ସରକାରଙ୍କ ଲକ୍ଷ୍ୟ ରହିବ। ଯଦିଓ ଓଡ଼ିଶା ସରକାର କାଳିଆ ଓ ପିଏମ କିଷାନ ଯୋଜନାକୁ ମିଶାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତା’ସତ୍ତ୍ୱେ ନୂଆ ଗାଇଡ୍‌ଲାଇନ ଅନୁସାରେ କାଳିଆ ପାଇଁ ବଜେଟରେ ବ୍ୟାପକ ଅର୍ଥ ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଛି।

ଗତ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ତାଙ୍କ ଅଂଶ ବାବଦକୁ କେନ୍ଦ୍ର ଟିକସ ଆଦାୟରୁ ୩୭ ହଜାର କୋଟି ଟଙ୍କା ପାଇଥିଲେ। ତେବେ ନିର୍ମଳା ସୀତାରମଣଙ୍କ ବଜେଟରେ କେନ୍ଦ୍ର ଟିକସ ଆଦାୟ ପରିମାଣ କମିଥିବାରୁ ଓଡ଼ିଶା ତା’ର ଭାଗ ହିସାବରେ କମ ଟଙ୍କା ପାଇବ।

ଏଣେ ଓଡ଼ିଶା ସରକାରଙ୍କ ଟିକସ ଓ ଅଣ ଟିକସ ଆୟ ବୃଦ୍ଧି ପାଇଥିଲେ ହେଁ ସରକାରଙ୍କ ପକ୍ଷରୁ ଯେତିକି ଜନକଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ତା’ ପାଇଁ ପାଣ୍ଠିର ଅଭାବ ଦେଖାଦେବା ସୁନିଶ୍ଚିତ। ଏହି ଦୁଃସ୍ଥିତି ସତ୍ତ୍ୱେ ୨୦୨୦-୨୧ ବଜେଟ ପରିମାଣ ଗତ ବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇବ। ଉଲ୍ଲେଖଯୋଗ୍ୟ ଯେ ,ଗତବର୍ଷ ଅର୍ଥ ମନ୍ତ୍ରୀ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପିତ କରିଥିଲେ।

Comment