ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝିଅ ଅନେଇ ବସିଥିଲା ପୁଅ ଘର ଲୋକଙ୍କୁ। ସେମାନେ ଆସିବେ ଆଉ ତା ହାତରେ ସୁନା ମୁଦି ପିନ୍ଧେଇବେ। କିନ୍ତୁ ବାଟରେ ମୃତ୍ୟୁ ତାର ଛନ୍ଦି ହୋଇଗଲା। ନିର୍ବନ୍ଧ ପାଇଁ ଆସୁଥିବା ପୁଅ ଘର ଲୋକଙ୍କ ମଧ୍ୟରେ ୯ ଜଣଙ୍କ ଜୀବନ ଚାଲିଗଲା ଆଉ ୩୫ରୁ ଅଧିକ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ। ଶେଷରେ ନିର୍ବନ୍ଧର ଆଶା ଆଶାରେ ହିଁ ରହିଗଲା। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ।

ପୁଅର ନିର୍ବନ୍ଧ ପାଇଁ ଗୋଳନ୍ଥରା ଥାନା ଡଙ୍କଲପାଡୁ ଗାଁରୁ ପ୍ରାୟ ୪୦ ଜଣ ଲୋକ ଗୋଟିଏ ବସ୍‌ରେ ଚିକରପଡ଼ା ଗାଁକୁ ବାହାରିଥିଲେ। ଫୁଲ, ଫଳ, ଶାଢ଼ି, ମିଠା ସହ ସମସ୍ତେ ବାହାରି ଯାଇଥିଲେ ଝିଅ ଘର ଅଭିମୁଖେ। ହେଲେ ବାଟରେ ଜଗି ରହିଥିଲା ଜମ। ମୋଲପୁତୁରି ଗାଁ ନିକଟରେ ୧୧ କେଭି ତାରରେ ଲାଗି ଗଲା ବସ୍‌। ବସ୍‌ ଭିତରେ କଲବଲ ହୋଇ ଚାଲିଗଲା ୫ ଜଣଙ୍କ ଜୀବନ। ପରେ ଡାକ୍ତରଖାନାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ପରେ ଦମକଳବାହିନୀ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିଛି ଗୁରୁତରଙ୍କୁ କଟକ ଏସ୍‌ସିବି ମଧ୍ୟ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାପରେ ଝିଅ ଗାଁରେ ଶୋକର ଛାୟା ଖେଳିଯାଇଛି। ନୂଆ ବନ୍ଧୁ ଆସିଥାନ୍ତେ। ଗାଁ ବୁଲି ଥାନ୍ତେ। ପୁଅ ପାଇଁ ବିଭିନ୍ନ ଖାଇବା ପିଇବାର ମଧ୍ୟ ବନ୍ଦୋବସ୍ତ ହୋଇଥିଲା। ହେଲେ ସବୁ ଆଶା ଆଶାରେ ରହିଗଲା। ନା ପୁଅ ଘର ଲୋକ ଆସିଲେ, ନା ଝିଅର ନିର୍ବନ୍ଧ ହୋଇପାରିଲା। ବର୍ତ୍ତମାନ ଝିଅର ମାନସିକ ସ୍ଥିତି ବହୁତ ଖରାପ ଅଛି ପରିବାର ଲୋକ କହିଛନ୍ତି।

ସେପଟେ ଗୋଟିଏ ଗାଁର ୯ ଜଣଙ୍କ ମୃତ୍ୟୁ ପରେ ଗାଁରେ ସୋକର ଛାୟା ଖେଳିଯାଇଚି। ଗାଁରେ ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁଥାଏ। ଆଉ ଦିନକ ପରେ ପୁଅ ବାହା ହୋଇଥାନ୍ତା ହେଲେ ଏହି ଘଟଣା ପରେ ପରିବାର ଲୋକ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି।

Comment