ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁରରେ ବିଦ୍ୟୁତ ତାର ଲାଗି ବସ୍‌ ଯାତ୍ରୀଙ୍କ ମୃତାହତ ଘଟଣାରେ ପ୍ରତିକ୍ରିୟା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏହି ଘଟଣାରେ ବିଦ୍ୟୁତ ବିଭାଗକୁ ଦାୟୀ କଲେ ମନ୍ତ୍ରୀ। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, “୧୧ କେଭି ତାର କିପରି ଏତେ ତଳକୁ ଖସିଲା ତାହା ଜଣାପଡୁନି। ଗାଁ ଲୋକ ଅଭିଯୋଗ ସତ୍ତ୍ଵେ ବିଦ୍ୟୁତ ବିଭାଗ ଅବହେଳା କରିଛି। ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆସରିଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ସେହିପରି ବସ୍ର ପରମିଟ୍‌ଠାରୁ ଆରମ୍ଭ କରି ସବୁ ଦିଗ ଉପରେ ଦଦନ୍ତ କରାଯିବ।”

ଆଜି ବ୍ରହ୍ମପୁର ସହର ଗୋଳନ୍ଥରା ଥାନା ମୋଲପତୁରି ନିକଟରେ ଏକ ବସ୍‌ରେ କିଛି ଲୋକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ବାଟରେ ଏକ ୧୧ କେଭି ବିଦ୍ୟୁତ ତାର ବସରେ ଲାଗିଯାଇଥିଲା। ଫଳରେ ବସରେ ଥିବା ଯାତ୍ରୀମାନେ ବିଦ୍ୟୁତ୍ ଆଘାତ ପାଇଥିଲେ। ଏହି ବିଦ୍ୟୁତ ଆଘାତ ଲାଗିବା ଦ୍ୱାରା ୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସ୍ଥାନୀୟ ଲୋକମାନେ ବିଦ୍ୟୁତ୍ କାଟିବା ସହ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହାସହ ଗୁରୁତର ଲୋକଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାରେ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comment