ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀରୁ ମଙ୍ଗଳବାର ଆସିବ ବଡ଼ ରାୟ। ଦିଲ୍ଲୀବାସୀ କାହାକୁ ଆଗାମୀ ପାଞ୍ଚ ବର୍ଷ ପାଇଁ ସରକାର ଗଠନ ପାଇଁ ରାୟ ଦେଇଛନ୍ତି ତାହା ଜଣାପଡ଼ିବ। ଅରବିନ୍ଦ କେଜରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ନା ବିଜେପିକୁ ଭୋଟର ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ହେବ।

ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥିଲା। ଆପ୍‌ ସରକାର ଗଢ଼ିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ଆକଳନ କରିଥିଲେ। ତେବେ ଆପ୍‌ ନେତାମାନେ ଇଭିଏମ୍‌ ଟାମ୍ପରିଂକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ଫଳରେ କେଉଁ ଦଳ ଦିଲ୍ଲୀ ସିଂହାସନ ଦଖଲ କରିବ ତାକୁ ନେଇ ସବୁଠି ଉତ୍ସୁକତା ଦେଖାଦେଇଛି।

ଗତ ୮ ତାରିଖରେ ଦିଲ୍ଲୀର ମୋଟ ୭୦ ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ୧୩ ହଜାର ବୁଥ୍‌ରେ ମତଦାନ ହୋଇଥିଲା। ଇଭିଏମ୍‌ ମେସିନଗୁଡ଼ିକୁ ଷ୍ଟଙ୍ଗ ରୁମ୍‌ରେ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି। ପ୍ରାୟ ୨୧ଟି କେନ୍ଦ୍ରରେ ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳ ଆପ୍‌ଳ, ବିଜେପି ଓ କଂଗ୍ରେସ ଭିତରେ ଟକ୍କର ହୋଇଥିଲା। ତେବେ ଅସଲ ଲଢ଼େଇ ଆପ୍‌ ଓ ବିଜେପି ଭିତରେ ହୋଇଥିଲା। ଆପ୍‌ ଓ ବିଜେପି ଭିତରୁ କେଉଁ ଦଳ ବାଜି ମାରୁଛନ୍ତି ତାହା ଦେଖିବାର କଥା।

୨୦୧୫ ନିର୍ବାଚନରେ ଆପ୍‌ ୬୭ଟି ଆସନ ପାଇ ସରକାର ଗଢ଼ିଥିଲା। ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଜେପି ମାତ୍ର ୩ଟି ଆସନ ପାଇଥିବା ବେଳେ କଂଗ୍ରେସ ଖାତା ଖୋଲିବାରେ ସମର୍ଥ ହୋଇ ନଥିଲା।

ହେଲେ ଏଥର ନିର୍ବାଚନରେ ଆପ୍‌ ହାତରୁ ଶାସନ ଭାର ଛଡ଼ାଇ ଆଣିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଥିଲା। ଆପ୍‌ ଗତ ୫ ବର୍ଷର ବିଭିନ୍ନ ସଫଳ ଯୋଜନାକୁ ନେଇ ଲୋକଙ୍କ ନିକଟତର ହୋଇଥିଲା। କଂଗ୍ରେସ ପ୍ରଚାର ମଇଦାନରେ ପଛରେ ପଡ଼ି ଯାଇଥିଲା। ଶେଷ ବେଳକୁ ରାହୁଲ ଓ ପ୍ରିୟଙ୍କା କଂଗ୍ରେସର ପ୍ରଚାର ମଙ୍ଗ ଧରିଥିଲେ। ତେବେ ଦିଲ୍ଲୀ ନିର୍ବାଚନରେ କିଏ ବାଜି ମାରୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment