ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ବାରଙ୍ଗ ଥାନା ଗୋଡ଼ିସାହି ବଜାରରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ରବିବାର ଏକ ଗହଣା ଦୋକାନରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୧ କିଲୋରୁ ଅଧିକ ସୁନା ଓ ୧୨ କିଲୋ ରୂପା ଲୁଟି ନେଇଛନ୍ତି। ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଗୋଡ଼ିସାହି ବଜାରରେ ଲଳିତା ଜୁଏଲର୍ସ ନାମରେ ଏକ ଗହଣା ଦୋକାନରୁ ଏହି ଲୁଟ୍‌ ହୋଇଛି। ଦୋକାନର ମାଲିକ ଲକ୍ଷ୍ମଣ ସାହୁ ପ୍ରତିଦିନ ଭଳି ରବିବାର ରାତି ପ୍ରାୟ ୯ଟା ବେଳକୁ ଦୋକାନ ବନ୍ଦ କରିବାକୁ ଯାଉଥିଲେ। ଏହି ସମୟରେ ହଠାତ୍ ୨ଟି ପଲସର୍ ବାଇକ୍ ଆସି ଦୋକାନ ପାଖରେ ଲାଗିଥିଲା। ଏହାପରେ ସେଥିରୁ ୬ଜଣ ଯୁବକ ଓହ୍ଲାଇ ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବାକୁ ଲାଗିଲେ।

ଏହାପରେ ଯୁବକମାନେ ଦୋକାନ ଭିତରୁ ପ୍ରାୟ ୧ କିଲୋ ଓଜନର ସୁନା ଓ ୧୨କେଜି ଓଜନର ରୂପା ନେଇ ଫେରାର୍ ହୋଇଯାଇଥିଲେ। ଏହାକୁ ଦୋକାନୀ ବିରୋଧ କରିବାରୁ ଜଣେ ଦୁର୍ବୃତ୍ତ ତାଙ୍କୁ ମାଡ଼ ମାରିଥିଲେ। ପରେ ୬ଜଣ ଯାକ ଦୁର୍ବୃତ୍ତ ଗହଣା ଭର୍ତ୍ତି ବ୍ୟାଗ୍ ନେଇ ସେଠାରୁ ଚମ୍ପଟ୍ ମାରିଥିଲେ।

ଏହି ସମୟରେ ବଜାରର ଅନ୍ୟ ଦୋକାନଗୁଡ଼ିକ ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଘଟଣା ସମୟରେ କେହି କିଛି ଜାଣି ପାରିନଥିଲେ। ପରେ ଦୋକାନୀ ଜଣକ ଚିତ୍କାର କରିବାରୁ ସେଠାରେ ଲୋକ ରୁଣ୍ଡ ହୋଇଥିଲେ। ଖବର ପାଇ କିଛି ସମୟରେ ମଧ୍ୟରେ ଗୋଡ଼ିସାହି ଫାଣ୍ଡି ପୋଲିସ୍ ଓ ପରେ ବାରଙ୍ଗ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

Comment