ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୬୨ଟି ଆସନ ପାଇ ଦିଲ୍ଲୀରେ ଆପ୍‌ ଆଗରେ। ବିଜେପି, କଂଗ୍ରେସ ପଛରେ।

ଦିଲ୍ଲୀରେ ହାଟ୍ରିକ ବିଜୟ ହାସଲ କରିଛି ଆମ୍‌ ଆଦ୍‌ମୀ ପାର୍ଟି। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍‌ ଦିଲ୍ଲୀବାସୀଙ୍କ ଦିଲ୍‌ ଜିତିଛି। କେଜରିୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯାଇଛି। ହେଲେ ୨୦୧୫ ତୁଳନାରେ ଆପ୍‌ର ଆସନ ସଂଖ୍ୟା କମିଯାଇଛି।

୨୦୧୫ରେ ଆପ୍‌ ୬୭ଟି ଆସନ ପାଇଥିବା ବେଳେ ଏଥର ୬୩ଟି ଆସନରେ ସନ୍ତୁଷ୍ଟ ହୋଇଛି। ବିଜେପି ୭ ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପୂର୍ବ ଥର ଭଳି ଏଥର ବି ଖାତା ଖୋଲିପାରିନି। କେଜରିୱାଲଙ୍କ ଗଡ଼ ଦିଲ୍ଲୀ ଦଖଲ କରିବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଥିଲେ ମଧ୍ୟ ତାହା ସଫଳ ହୋଇନି। କେଜରିୱାଲଙ୍କ କ୍ରେଜ ଆଗରେ ତାହା ଫିକା ପଡ଼ିଯାଇଛି।

‘‘ତୃତୀୟଥର ପାଇଁ ଆପ୍‌ ଉପରେ ଭରସା କରିଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ। ଏହି ବିଜୟ କେବଳ ମୋ ବିଜୟ ନୁହେଁ, ଏହା ସାରା ଦିଲ୍ଲୀର ବିଜୟ। ଏହା ସେହି ପରିବାରର ବିଜୟ ଯେଉଁ ପରିବାର ପିଲାମାନେ ଉନ୍ନତ ଶିକ୍ଷା ପାଉଛନ୍ତି, ଉନ୍ନତ ସ୍ଵାସ୍ଥ୍ୟ ସେବା ପାଉଛନ୍ତି”, କହିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଦିଲ୍ଲୀବାସୀ ଏକ ନୂଆ ରାଜନୀତିକୁ ଜନ୍ମ ଦେଇଛନ୍ତି, ଯାହାର ନାଁ କାମର ରାଜନୀତି। ଯିଏ ସ୍କୁଲ କରିବ, ଯିଏ ୨୪ ଘଣ୍ଟା ବିଜୁଳି ଦେବ, ଆଉ ଯିଏ ରାସ୍ତା ତିଆରି କରିବ ଦିଲ୍ଲୀବାସୀ ତାଙ୍କୁ ହିଁ ଭୋଟ ଦେବେ। ଦିଲ୍ଲୀବାସୀଙ୍କ ଏହି ଚିନ୍ତାଧାରା ଭାରତ ପାଇଁ ଏକ ଭଲ ସନ୍ଦେଶ। ଏହି ବିଜୟ କେବଳ ଦିଲ୍ଲୀର ନୁହେଁ ଭାରତମାତାର ବିଜୟ।”

କେଜରିୱାଲ ନିଜେ ନୂଆଦିଲ୍ଲୀ ଆସନରୁ ବିଜୟୀ ହୋଇଥିବା ବେଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆପ୍‌ର ବରିଷ୍ଠ ନେତା ମନିଷ ସିସୋଦିଆ ମଧ୍ୟ ପପଡ଼ଗଞ୍ଜ ଆସନରୁ ବିଜୟୀ ହୋଇଛନ୍ତି। ୧୨ଟି ରାଉଣ୍ଡରେ ମନିଷ ପଛରେ ରହିଥିଲେ। ବିଜେପି ପ୍ରାର୍ଥୀ ଆଗରେ ରହିଥିଲେ। ୧୩ ରାଉଣ୍ଡରେ ମନିଷ ବିଜୟୀ ହୋଇଥିଲେ।

ଲଗାତର ୧୫ ବର୍ଷ ହେଲା ଦିଲ୍ଲୀ ଦଖଲ କରିଥିବା କଂଗ୍ରେସକୁ ଏଥର ମଧ୍ୟ କ୍ଷତି ସହିବାକୁ ପଡ଼ିଛି। ୨୦୧୫ରେ ଶୂନ ପାଇଥିବା କଂଗ୍ରେସ ଏଥର ମଧ୍ୟ ଶୂନ ପାଇଛି।

ଚଳିତ ନିର୍ବାଚନରେ ଆପ୍‌ ଗତ ୫ ବର୍ଷର ସଫଳ ଯୋଜନାକୁ ଅସ୍ତ୍ର କରି ଭୋଟରଙ୍କ ପାଖକୁ ଯାଇଥିଲା। ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପ୍ରସଙ୍ଗକୁ ଆପ୍‌ ଅସ୍ତ୍ର କରିଥିଲା। ବିଜେପି ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଅସ୍ତ୍ର କରିଥିଲେ ହେଁ ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ି ନଥିବା ସ୍ପଷ୍ଟ ହୋଇଛି।

Comment