ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ପୁଣି ଗଠନ ହେବାକୁ ଯାଉଛି ଆମ୍ ଆଦମୀ ପାର୍ଟିର ସରକାର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦିରେ ପୁଣିଥରେ ବସିବାକୁ ଯାଉଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ। ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଭୋଟିଂ ଟ୍ରେଣ୍ଡକୁ ଲକ୍ଷ୍ୟ କଲେ ଏଭଳି ସୂଚନା ମିଳୁଛି।

ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣନା କରାଯାଉଛି। ମଧ୍ୟାହ୍ନ ସୁଦ୍ଧା ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀମାନେ ବିଜେପିର ପ୍ରାର୍ଥୀମାନଙ୍କୁ ମାତ୍ ଦେଇ ଅଧିକାଂଶ ସିଟରେ ଆଗୁଆ ରହିଛନ୍ତି। ଦିଲ୍ଲୀର ୭୦ଟି ବିଧାନସଭା ସିଟରୁ ଆପ୍ ପ୍ରାର୍ଥୀମାନେ ପ୍ରାୟତଃ ୫୮ଟି ସିଟରେ ଆଗୁଆ ରହିଛନ୍ତି। ସେହିପରି ବିଜେପି ୧୨ଟି ବିଧାନସଭା ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସର ହାତ ଖାଲିରହିଛି।

ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀର ୨୧ଟି ଭୋଟଗଣତି କେନ୍ଦ୍ରରେ ଭୋଟଗଣନା କରାଯାଉଛି। ସକାଳୁ ହିଁ ଆପର ପ୍ରାର୍ଥୀମାନେ ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ। ଭୋଟଗଣନାରେ ଆପର ପ୍ରାର୍ଥୀମାନେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ଆଗୁଆ ରହିଥିଲେ। ମଧ୍ୟାହ୍ନ ସୁଦ୍ଧା ମଧ୍ୟ ଏହି ଧାରା ବଜାୟ ରହିଛି। ଟ୍ରେଣ୍ଡକୁ ଲକ୍ଷ୍ୟ କରି ଆପର ସମର୍ଥକମାନେ ମଧ୍ୟ ପାର୍ଟି ଅଫିସରେ ଖୁସି ମନାଉଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଅପରାହ୍ନ ୩ଟା ୩୦ମିନିଟକୁ ଅପେକ୍ଷା କରିବାକୁ କହିଛନ୍ତି। ସମୟ ଗଡ଼ିବା ସହିତ ବିଜେପିର ସିଟ୍ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଏଥିସହିତ ଫଳ ଯାହାବି ହେଉ ତାକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

Comment