ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀରେ କଂଗ୍ରେସ ଏଥର ବି ଖାତା ଖୋଲି ପାରିଲାନି। ୨୦୧୫ ଭଳି ଏଥର ମଧ୍ୟ ଦିଲ୍ଲୀବାସୀ କଂଗ୍ରେସକୁ ନିରାଶ କରିଛନ୍ତି। ୨୦୧୫ ଭଳି କଂଗ୍ରେସ ଚଳିତ ନିର୍ବାଚନରେ ଶୂନ ପାଇଛି। ଯେଉଁ ଦଳ ୧୯୯୮ରେ ୫୨ ଆସନ ପାଇ ସରକାର ଗଠନ କରିଥିଲା ସେହି ଦଳକୁ ଦିଲ୍ଲୀବାସୀ ଭୋଟ ନଦେବା କଂଗ୍ରେସ ପାଇଁ ସତର୍କଘଣ୍ଟି ବଜାଇଛି।

୧୯୯୮ରେ ଶୀଲା ଯୁଗ

୧୯୯୮ ନିର୍ବାଚନ କଂଗ୍ରେସ ପାଇଁ ସ୍ୱର୍ଣ୍ଣିମ ଯୁଗ ରହିଥିଲା। ମହଙ୍ଗା ମାଡ଼ରେ ଲୋକେ ହନ୍ତସନ୍ତ ହେଉଥିବାରୁ ଏହି ନିର୍ବାଚନ କଂଗ୍ରେସ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା। କେନ୍ଦ୍ରରେ ଶାସନ କରୁଥିବା ବାଜପେୟୀଙ୍କ ସରକାରକୁ ଦିଲ୍ଲୀ ଭୋଟର ଭଲ ଜବାବ ଦେଇଥିଲେ। ମହଙ୍ଗା ମାଡ଼ରୁ ମୁକୁଳିବା ପାଇଁ ଦିଲ୍ଲୀବାସୀ କଂଗ୍ରେସ ଉପରେ ଭରସା କରିଥିଲେ। ଫଳରେ କଂଗ୍ରେସ ଏକାକୀ ୫୨ଟି ଆସନ ପାଇଥିଲା। କଂଗ୍ରେସକୁ ପାଖାପାଖି ୪୮ ପ୍ରତିଶତ ଭୋଟ ମିଳିଥିଲା।

୨୦୦୩ରେ ପୁଣି କଂଗ୍ରେସ

୧୯୯୮ରେ ଦିଲ୍ଲୀରେ ଆରମ୍ଭ ହୋଇଥିବା ଶୀଲା ଯୁଗ ୨୦୦୩ରେ ମଧ୍ୟ ବଳବତ୍ତର ରହିଥିଲା। ଏହି ପାଞ୍ଚ ବର୍ଷ ଭିତରେ ଶୀଲା ଭଲ କାମ କରିଥିବାରୁ ଦିଲ୍ଲୀବାସୀ ତାଙ୍କୁ ପୁଣି ଭୋଟ ଦେଇଥିଲେ। ହେଲେ ଆସନ ସଂଖ୍ୟା କମି ଯାଇଥିଲା। ୧୯୯୮ରେ ୫୨ ସିଟ୍‌ ପାଇଥିବା କଂଗ୍ରେସ ୨୦୦୩ରେ ୪୭ଟି ଆସନ ପାଇଥିଲା।

୨୦୦୮ରେ କଂଗ୍ରେସର ହାଟ୍ରିକ

ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ ପୁଣି ୨୦୦୮ ନିର୍ବାଚନରେ ବାଜି ମାରିଥିଲା। ଶୀଲା ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ପୁଣି ଥରେ କଂଗ୍ରେସର ଆସନ ସଂଖ୍ୟା କମିଥିଲା। କଂଗ୍ରେସ ୪୩ଟି ଆସନରେ ବିଜୟୀ ହୋଇଥିଲା।

୨୦୧୩ରେ ଓଲଟିଗଲା ବାଜି

ଲଗାତର ୧୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ରହି ଆସିଥିବା କଂଗ୍ରେସ ୨୦୧୩ରେ ବୁଦ୍ଧି ଶିଖିଥିଲା। ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି ଏବଂ ଆନ୍ନା ହଜାରେଙ୍କ ଆନ୍ଦୋଳନ ପରେ ଆମ୍‌ ଆଦ୍‌ମୀ ପାର୍ଟିର ଅଭ୍ୟୁଦୟ ହେବାରୁ କଂଗ୍ରେସକୁ ଦିଲ୍ଲୀବାସୀ ଦୂରେଇ ଦେଇଥିଲେ। ଯେଉଁ ଦଳ ୧୯୯୮ରୁ ୨୦୧୩ ଯାଏଁ ଶାସନରେ ରହିଥିଲା ସେହି ଦଳ ମାତ୍ର ୮ଟି ଆସନ ପାଇଥିଲା। ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଶୀଲା ଯୁଗର ପତ୍ତନ ଘଟାଇଥିଲେ।

୨୦୧୫ ଓ ୨୦୨୦ରେ କଂଗ୍ରେସ ଖୋଲିଲାନି ଖାତା

୨୦୧୫ ଓ ୨୦୨୦ରେ ଦିଲ୍ଲୀରେ ଅସଲ ଲଢ଼େଇ ହୋଇଥିଲା। କଂଗ୍ରେସ ପୁଣି କ୍ଷମତାକୁ ଆସିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଦିଲ୍ଲୀବାସୀ ଏହି ଦଳକୁ ପ୍ରତ୍ୟାଖ୍ୟାନ କରିଥିଲେ। ୨୦୧୫ରେ ରାଜନୀତି ଇତିହାସରେ ସବୁଠୁ ବଡ଼ ପରାଜୟ ବରଣ କରିଥିଲା କଂଗ୍ରେସ। କଂଗ୍ରେସ ଖାତା ଖୋଲିବାରେ ଅସମର୍ଥ ହୋଇଥିଲା। ୨୦୨୦ରେ ବି କଂଗ୍ରେସ ଶୂନ ପାଇଛି।

Comment