ଓଡ଼ିଶାଲାଇଭ୍‌ ବ୍ୟୁରୋ

“ତୃତୀୟଥର ପାଇଁ ଆପ୍‌ ଉପରେ ଭରସା କରିଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ। ଏହି ବିଜୟ କେବଳ ମୋ ବିଜୟ ନୁହେଁ, ଏହା ସାରା ଦିଲ୍ଲୀର ବିଜୟ। ଏହା ସେହି ପରିବାରର ବିଜୟ ଯେଉଁ ପରିବାର ପିଲାମାନେ ଉନ୍ନତ ଶିକ୍ଷା ପାଉଛନ୍ତି, ଉନ୍ନତ ସ୍ଵାସ୍ଥ୍ୟ ସେବା ପାଉଛନ୍ତି” କହିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ।

ଦିଲ୍ଲୀରେ ପୁଣି ସରକାର ଗଢ଼ିବେ ଅରବିନ୍ଦ କେଜରିଓ୍ଵାଲ। ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ଆଗରେ ରହିଛି ଆପ୍‌। ଏନେଇ ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆପ୍‌ ବିଜୟର ଶ୍ରେୟ ସେ ଦିଲ୍ଲୀବାସୀଙ୍କୁ ଜଣାଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ”ଦିଲ୍ଲୀବାସୀ ଏକ ନୂଆ ରାଜନୀତିକୁ ଜନ୍ମ ଦେଇଛନ୍ତି, ଯାହାର ନାଁ କାମର ରାଜନୀତି। ଯିଏ ସ୍କୁଲ କରିବ, ଯିଏ ୨୪ ଘଣ୍ଟା ବିଜୁଳି ଦେବ, ଆଉ ଯିଏ ରାସ୍ତା ତିଆରି କରିବ ଦିଲ୍ଲୀବାସୀ ତାଙ୍କୁ ହିଁ ଭୋଟ ଦେବେ। ଦିଲ୍ଲୀବାସୀଙ୍କ ଏହି ଚିନ୍ତାଧାରା ଭାରତ ପାଇଁ ଏକ ଭଲ ସନ୍ଦେଶ। ଏହି ବିଜୟ କେବଳ ଦିଲ୍ଲୀର ନୁହେଁ ଭାରତ ମାତାର ବିଜୟ।”

ଆଜି ମଙ୍ଗଳବାର ପ୍ରଭୁ ହନୁମାନଙ୍କ ଦିନ ହୋଇଥିବାରୁ, ପ୍ରଭୁ ହନୁମାନ ଦିଲ୍ଲୀ ଉପରେ ନିଜର କୃପା ରଖିଛନ୍ତି ବୋଲି କହିଥିଲେ କେଜରିଓ୍ଵାଲ। ଏହାସହ ସେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ କାମନା କରିଥିଲେ।

ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟଗଣନା କରାଯାଉଛି। ମଧ୍ୟାହ୍ନ ସୁଦ୍ଧା ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀମାନେ ବିଜେପିର ପ୍ରାର୍ଥୀମାନଙ୍କୁ ମାତ୍ ଦେଇ ଅଧିକାଂଶ ସିଟରେ ଆଗୁଆ ରହିଛନ୍ତି। ଦିଲ୍ଲୀର ୭୦ଟି ବିଧାନସଭା ସିଟରୁ ଆପ୍ ପ୍ରାର୍ଥୀମାନେ ପ୍ରାୟତଃ ୬୩ଟି ସିଟରେ ଆଗୁଆ ରହିଛନ୍ତି। ସେହିପରି ବିଜେପି ୭ଟି ବିଧାନସଭା ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସର ହାତ ଖାଲିରହିଛି।

Comment