ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାରିଛି ଆମ୍ ଆଦମୀ ପାର୍ଟି। ପୁଣିଥରେ କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ପ୍ରସ୍ତୁତ ହେଲେଣି ଆପ୍ କର୍ମୀମାନେ। ଦିନେ ଜନ ଲୋକପାଳ ବିଲ୍ ପାଇଁ ଆନ୍ଦୋଳନ ଓ ଏହାପରେ ଦିଲ୍ଲୀରେ ୪୯ ଦିନର ସରକାର ଗଠନ କରି ଚର୍ଚ୍ଚାରେ ରହିଥିବା କେଜରିୱାଲ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ଦଖଲ କରିବାକୁ ଯାଉଛନ୍ତି।ଜନଲୋକପାଳ ବିଲ୍ ପାଇଁ ଆନ୍ଦୋଳନ କରିବା ସହ ଭାରତୀୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲେ କେଜରିୱାଲ। ଏହାପରେ ସେ ତାଙ୍କର କିଛି ସହଯୋଗୀଙ୍କୁ ନେଇ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା କରିଥିଲେ।

ଆମ୍ ଆଦମୀ ପାର୍ଟିର ଜନ୍ମ 

ସମାଜସେବୀ ଆନ୍ନା ହଜାରେଙ୍କଠାରୁ ଅଲଗା ହୋଇ କେଜରିୱାଲ ୨୦୧୨ ମସିହାରେ ଆମ୍ ଆଦମୀ ପାର୍ଟି ଗଠନ କରିଥିଲେ। ‘କମନ୍ ମ୍ୟାନ’ଙ୍କୁ ଉତ୍ତମ ସରକାର ଦେବା ପାଇଁ ଗଠନ କରାଯାଇଥିବା ଏହି ପାର୍ଟିର ମୁଖିଆ ମଧ୍ୟ ନିଜେ କେଜରିୱାଲ ହୋଇଥିଲେ। ଏହାର ନିର୍ବାଚନୀ ଚିହ୍ନ ରହିଥିଲା ଝାଡୁ।କେଜରିୱାଲଙ୍କ ୪୯ ଦିନିଆ ସରକାର

ଆପ୍ ଗଠନ ହେବା ପରେ ଏହା ୨୦୧୩ ମସିହାରେ ଦଳ ପ୍ରଥମ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲା। କଂଗ୍ରେସ ଗଡ଼ ଭାବେ ପରିଚିତ ହେଉଥିବା ଦିଲ୍ଲୀରେ ଆପ୍ ନିଜର ପ୍ରଦର୍ଶନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ଆପ୍ ମୋଟ୍ ୨୮ ସିଟ୍ ହାତେଇଥିଲା। ସେହିପରି ବିଜେପି ୩୧ଟି ଆସନରେ ଜିତାପଟ ହାସଲ କରିଥିବାବେଳେ କଂଗ୍ରେସ ହାତରେ ମାତ୍ର  ୮ଟି ସିଟ୍ ପଡ଼ିଥିଲା। ସରକାର ଗଠନ ପାଇଁ କୌଣସି ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥିଲେ। ଶେଷରେ କଂଗ୍ରେସର ହାତ ଧରି କେଜରିୱାଲ ଦିଲ୍ଲୀରେ ଗଠନ କଲେ ଆପ୍ ସରକାର। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ।

ସରକାର ଗଠନ କରିବା ପରେ ଦିଲ୍ଲୀ ବିଧାନସଭାରେ ଜନ ଲୋକପାଳ ବିଲକୁ ପାସ୍ କରିବା କେଜରିୱାଲଙ୍କ ମୂଳଲକ୍ଷ୍ୟ ଥିଲା। ସେଥିପାଇଁ ସେ ତାଙ୍କର ବିଧାନସଭାରେ ଏହି ଜନ ଲୋକପାଳ ବିଲ୍ ଆଣିଥିଲେ। ହେଲେ ଏହାକୁ କିନ୍ତୁ କଂଗ୍ରେସ ଓ ବିଜେପି ବିରୋଧ କରିଥିଲେ। କଂଗ୍ରେସ ନିଜେ ଆପ୍ ସରକାରରେ ସହଯୋଗୀ ଥିଲେ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇନଥିଲା।

ଜନ ଲୋକପାଳ ବିଲକୁ କଂଗ୍ରେସ ସମର୍ଥନ ଦେବାରେ ଅରାଜି ହେବାରୁ ଏହି ବିଲ୍ ଦିଲ୍ଲୀ ବିଧାନସଭାରେ ପାରିତ ହୋଇପାରିନଥିଲା। ଏଥିପାଇଁ ଶେଷରେ ସରକାର ଗଠନ ହେବାର ୪୯ ଦିନରେ ମୁଖ୍ୟମନ୍ତ୍ରୀ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବିଧାନସଭା ଭଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ କେଜରିୱାଲଙ୍କ ୪୯ ଦିନର ସରକାରର ଅନ୍ତ ହୋଇଥିଲା।

ଲଗାତାର ଦୁଇଥର ଦିଲ୍ଲୀରେ କେଜରିୱାଲ କ୍ରେଜ୍

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏହାପରେ ଦିଲ୍ଲୀରେ ୨୦୧୫ରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ସାରା ଦେଶରେ ମୋଦୀ ଲହର ଚାଲିଥିବାବେଳେ ଦିଲ୍ଲୀ କିନ୍ତୁ କେଜରିୱାଲଙ୍କ କ୍ରେଜରେ ବାୟା ଥିଲା। ନିର୍ବାଚନରେ କେଜରିୱାଲ ୭୦ରୁ ୬୭ ଆସନ ପୋଛି ଆଣିଥିଲେ। ଏଥିସହିତ ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ହାତେଇଥିଲେ। ଏବେ ୨୦୨୦ରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି ହୋଇଛି। ପ୍ରବଳ ବହୁମତ ସହ ଦିଲ୍ଲୀରେ ଆପ୍ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି।

 

Comment