ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟରେ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ସହ ଅଲରାଉଣ୍ଡରଙ୍କ ମଧ୍ୟ ପ୍ରାଭାବି ଭୂମିକା ରହିଥାଏ। ବିପଦ ସମୟରେ ଦଳକୁ ଏକ ନୂଆ ମୋଡ଼ରେ ପହଞ୍ଚାଇବାର ଦକ୍ଷତା ଅଲରାଉଣ୍ଡରଙ୍କ ପାଖରେ ରହିଥାଏ। ଅନେକ ଦେଶର କ୍ରିକେଟ ଟିମ୍‌ରେ ଅଲରାଉଣ୍ଡର ରହିଛନ୍ତି। ସେହିପରି ଭାରତୀୟ କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ ଅନେକ ଅଲରାଉଣ୍ଡର ଆସିଛନ୍ତି ହେଲେ କିଛି ଖେଳାଳିଙ୍କୁ ଶ୍ରେଷ୍ଠ ଅଲରାଉଣ୍ଡ ଭାବେ ଗଣାଯାଏ।

ଆସନ୍ତୁ ଜାଣିବା ସେମତି କିଛି ଅଲରାଉଣ୍ଡରଙ୍କ ବିଷୟରେ ବିଷୟରେ ଯୋଉମାନେ ଭାରତୀୟ କ୍ରିକେଟରେ ଅନେକ ଦକ୍ଷତା ପ୍ରଦର୍ଶନ କରିଛନ୍ତି।

ଭିନୋ ମଙ୍କଡ

ଭାରତୀୟ କ୍ରିକେଟ ଇତିହାସରେ ଭିନୋ ମଙ୍କଡ ଜଣେ ଚମତ୍କାର ଅଲରାଉଣ୍ଡର ଥିଲେ। ଆରମ୍ଭରୁ ଲୋୟର ଅର୍ଡରରେ ବ୍ୟାଟିଂ ଆସୁଥିବା ଏହି ବ୍ୟାଟ୍ସମ୍ୟାନ ପରବର୍ତ୍ତୀ ସମୟରେ ଟପଅର୍ଡରରେ ବ୍ୟାଟିଂ କରିଥିଲେ। ଅଲରାଉଣ୍ଡର ହିସାବରେ ଦଳ ପାଇଁ ଅନେକ ସମୟରେ ଭଲ ପ୍ରଦର୍ଶନ କରିଛନ୍ତି।

ସେ ଭାରତ ପକ୍ଷରୁ ୪୪ ମ୍ୟାଚ ଖେଳି ୨ହଜାର ୧୦୯ ରନ କରିଛନ୍ତି। ଏହାସହ ସ୍ପିନ୍ ବୋଲିଂ କରି ପିଚରେ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେଖାଇବାର ଦକ୍ଷତା ମଧ୍ୟ ତାଙ୍କ ପାଖରେ ରହିଛି। ଭାରତ ପକ୍ଷରୁ ସେ ୧୬୨ଟି ଓ୍ଵିକେଟ ନେବାରେ ସଫଳ ହୋଇଛନ୍ତି।

ଗୋଟିଏ ସିରିଜରେ ସର୍ବାଧିକ ୩୪ଟି ଓ୍ଵିକେଟ ନେବାର ରେକର୍ଡ ତାଙ୍କ ପାଖରେ ରହିଛି। ଲଗାତାର ୨ଟି ମ୍ୟାଚରେ ୧୦ରୁ ଅଧିକ ଓ୍ଵିକେଟ ମଧ୍ୟ ହାସଲ କରିଥିଲେ। ବ୍ୟାଟିଂରେ ମଧ୍ୟ ତାଙ୍କର ସର୍ବାଧିକ ସ୍କୋର ୨୩୧ ରହିଥିଲା।

ରବି ଶାସ୍ତ୍ରୀ

ରବି ଶାସ୍ତ୍ରୀ ଯିଏକି ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର କୋଚ ରହିଛନ୍ତି। ତାଙ୍କ ସମୟରେ ଭାରତୀୟ ଦଳରେ ସେ ଚମତ୍କାର ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ୧୯୮୫ ବିଶ୍ଵକପ ବିଶ୍ଵ ବିଜେତା ହେବା ସମୟରେ ଶାସ୍ତ୍ରୀ ଦଳ ପାଇଁ ଖେଳୁଥିଲେ। ସେ ୮୦ଟି ଟେଷ୍ଟ ମ୍ୟାଚ ଖେଳି ୩ହଜାର ୮୩୦ ରନ କରିଛନ୍ତି। ସେହିପରି ୧୫୦ ଦିନିକିଆ ମ୍ୟାଚରୁ ୩ହଜାର ୧୦୮ ରନ କରିଛନ୍ତି। ଏହାସହ ଟେଷ୍ଟ ମ୍ୟାଚରେ ୧୫୧ ଓ୍ଵିକେଟ ଓ ଦିନିକିଆରେ ୧୨୯ ଓ୍ଵିକେଟ ହାସଲ କରିବାରେ ସଫଳ ହୋଇଥିଲେ।

କପିଳ ଦେବ

ଭାରତୀୟ କ୍ରିକେଟରେ ଯେତେ ସଫଳ କ୍ୟାପଟେନ ରହିଛନ୍ତି କପିଳ ଦେବ ତାଙ୍କ ମଧ୍ୟରୁ ଜଣେ। ଭାରତକୁ ୧୯୮୫ ବିଶ୍ଵକପରେ ବିଜେତା କରିବାର ପ୍ରମୁଖ ଭୂମିକା କପିଳ ଦେବଙ୍କର ରହିଥିଲା। ଆଇସିସି ହଲ ଅଫ ଫେମ୍‌ରେ ମଧ୍ୟ ତାଙ୍କୁ ସାମିଲ କରାଯାଇଥିଲା। ସେ ୧୩୧ଟି ଟେଷ୍ଟ ମ୍ୟାଚରେ ୫ହଜାର ୨୪୮ ରନ କରିଛନ୍ତି ଓ ୪୩୪ ଓ୍ଵିକେଟ ନେଇଛନ୍ତି। ସେହିପରି ଦିନିକିଆରେ ୨୨୫ ମ୍ୟାଚ ଖେଳି ୩ହଜାର ୭୮୩ ରନ କରିଛନ୍ତି ଓ ୨୫୩ଟି ଓ୍ଵିକେଟ ହାସଲ କରିଛନ୍ତି।

ଇର୍ଫାନ ପଠାନ

୨୦୧୧ ବିଶ୍ଵକପରେ ଭାରତୀୟ କ୍ରିକେଟ ବୋଲିଂ ବିଭାଗର ମେରୁଦଣ୍ଡ ଥିଲେ ଇର୍ଫାନ ପଠାନ ଏହାସହ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥାନ୍ତି। ତାଙ୍କ କ୍ରିକେଟ କ୍ୟାରିୟରରେ ୨୯ଟି ଟେଷ୍ଟ ମ୍ୟାଚ ଖେଳି ୧ହଜାର ୧୦୫ ରନ କରିବାସହ ୧୦୦ଟି ଓ୍ଵିକେଟ ନେଇଛନ୍ତି। ଦିନିକିଆରେ ମଧ୍ୟ ୧ହଜାର ୫୪୪ ରନ କରିବା ସହ ୧୭୩ ଓ୍ଵିକେଟ ହାସଲ କରିଛନ୍ତି।

ରବିଚନ୍ଦ୍ରନ ଅଶ୍ଵିନୀ

ଭାରତୀୟ କ୍ରିକେଟରେ ଅଶ୍ଵିନୀ ମଧ୍ୟ ଅତି ଚମତ୍କାର ଅଲରାଉଣ୍ଡର ଭୂମିକା ଗ୍ରହଣ କରିଛନ୍ତି। ଲୋୟର ଅର୍ଡରରେ ବ୍ୟାଟିଂ ଆସି ଦଳକୁ ଚାପରୁ ମୁକ୍ତ କରି ବିଜୟୀ କରାଇବାର ଦକ୍ଷତା ତାଙ୍କ ପାଖରେ ରହିଛି। ଟେଷ୍ଟରେ ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି। ୬୪ଟି ଟେଷ୍ଟ ମ୍ୟାଚରୁ ୨ହଜାର ୩୩୧ ରନ କରିଛନ୍ତି ଓ ୩୩୬ ଓ୍ଵିକେଟ ମଧ୍ୟ ନେଇଛନ୍ତି। ସେହିପରି ଦିନିକିଆରେ ୧୧୧ ମ୍ୟାଚ ଖେଳି ୬୭୫ ରନ କରିଛନ୍ତି ଓ ୧୫୦ ଓ୍ଵିକେଟ ହାସଲ କରିଛନ୍ତି।

ରବିନ୍ଦ୍ର ଜାଡେଜା

ଅଶ୍ଵିନୀଙ୍କ ସହ ରବିନ୍ଦ୍ର ଜାଡେଜାଙ୍କ ସ୍ପିନ ଯୋଡ଼ି ବେଶ ସଫଳତା ହାସଲ କରିଛନ୍ତି। ଜାଡେଜା ଅଲରାଉଣ୍ଡର ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଦଳରେ ନିଜ ଦବଦବା ରଖିଛନ୍ତି। ବିଶ୍ଵକପ ୨୦୧୯ ସେମିଫାଇନାଲ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଥିଲେ। କେବଳ ବ୍ୟାଟିଂ କି ବୋଲିଂ ନୁହେଁ ଚମତ୍କାର ଫିଲ୍ଡିଙ୍ଗ କରିବାର ମଧ୍ୟ ସେ ନଜର ଆସିଛନ୍ତି। ସେ ୪୨ ଟେଷ୍ଟ ମ୍ୟାଚ ଖେଳି ୧ ହଜାର ୫୪୪ ରନ କରିବା ସହ ୧୯୪ ଓ୍ଵିକେଟ ନେଇଛନ୍ତି। ଦିନିକିଆରେ ମଧ୍ୟ ୧୫୬ ମ୍ୟାଚ ଖେଳି ୨ହଜାର ୧୨୮ ରନ କରି ୧୭୮ ଓ୍ଵିକେଟ ହାସଲ କରିଛନ୍ତି। ସେ ବର୍ତ୍ତମାନ ଆଇସିସି ବୋଲିଂ ତାଲିକାର ୧୦ ନମ୍ଵର ରାଙ୍କରେ ରହିଛନ୍ତି। ଏହାସହ ତାଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ଦିଆଯାଇଛି।

ହାର୍ଦ୍ଧିକ ପାଣ୍ଡ୍ୟା

ହାର୍ଦ୍ଧିକ ପାଣ୍ଡ୍ୟା ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ମାତ୍ର ଖୁବ୍‌ କମ୍‌ ଦିନରେ ଦମଦାର ପ୍ରଦର୍ଶନ କରି ଦଳରେ ନିଜ ସ୍ଥାନ ପକ୍କା କରିଥିଲେ। ତାଙ୍କୁ କପିଳ ଦେବଙ୍କ ସହ ମଧ୍ୟ ତୁଳନା କରାଯାଏ। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଦଳରେ ସାମିଲ ହୋଇଥିଲେ। ସେ ୧୧ଟି ଚେଷ୍ଟ ମ୍ୟାଚ ଖେଳି ୫୩୨ ରନ କରିଛନ୍ତି ଓ ୧୭ଟି ଓ୍ଵିକେଟ ନେଇଛନ୍ତି। ଦିନିକିଆରେ ୪୫ ମ୍ୟାଚ ଖେଳିବା ସହ ୭୫୭ ରନ କରି ୪୫ଟି ଓ୍ଵିକେଟ ହାସଲ କରିଛନ୍ତି। ଟି-୨୦ରେ ମଧ୍ୟ ୩୮ ମ୍ୟାଚ ଖେଳି୨୯୬ ରନ କରିଛନ୍ତି ଓ ୩୬ ଓ୍ଵିକେଟ ନେଇଛନ୍ତି।

Comment