ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ପ୍ରାୟ ୧୫ କୋଟି ଟଙ୍କା ବଢ଼ିଛି। ଆଇଟି ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ। ତାଙ୍କର ମୋଟ୍‌ ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ଜାରି କରାଯାଇଛି। କେତେକ ମନ୍ତ୍ରୀ ୨୦୧୯ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଓ କେତେକ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ନିଜର ବିବରଣୀ ଦେଇଛନ୍ତି।

୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ନବୀନଙ୍କର ସମ୍ପତ୍ତି ପରିମାଣ ପ୍ରାୟ ୪୯.୨୦ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୬୩.୬୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ହେଲେ ସେ ନିଜ ଭଉଣୀଙ୍କଠାରୁ ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣ ଏଯାଏଁ ପରିଶୋଧ କରି ନଥିବା ଜଣାପଡ଼ିଛି।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏକମାତ୍ର ମନ୍ତ୍ରୀ ଯାହାଙ୍କ ପାଖରେ ୨ଟି ରିଭଲଭର ଓ ଗୋଟିଏ ରାଇଫଲ୍ ରହିଛି। ନବ ଓ ତାଙ୍କ ପରିବାର ପାଖରେ ପ୍ରାୟ ୩୨ଲକ୍ଷ ନଗଦ ଓ ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଦୁଇ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଡିପୋଜିଟ୍ ରହିଛି।

ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ମଧ୍ୟ ବର୍ଷକ ମଧ୍ୟରେ ପ୍ରାୟ ସାଢ଼େ ୪କୋଟି ଟଙ୍କା ବଢ଼ିଛି। ପ୍ରତାପଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୦କୋଟି ଟଙ୍କା ହେବ। କୃଷି ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୭ଲକ୍ଷ ଟଙ୍କା ହୋଇଥିବାବେଳେ ଅରୁଣଙ୍କଠୁ ତାଙ୍କ ଅଧ୍ୟାପିକା ପତ୍ନୀ ଅଧିକ ଧନୀ ବୋଲି ଜଣାପଡ଼ିଛି।

ସେହିଭଳି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ସମ୍ପତ୍ତି ୪୨ ଲକ୍ଷ ଟଙ୍କା ଥିବା ବେଳେ ନିରଞ୍ଜନ ପୂଜାରୀ ୩୫ଲକ୍ଷ ଟଙ୍କା ସମ୍ପତିର ମାଲିକ। ମନ୍ତ୍ରୀ ମଣ୍ଡଳର ସବୁଠାରୁ ଗରିବ ହେଉଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା। ତାଙ୍କ ମୋଟ ସମ୍ପତିର ପରିମାଣ ୨୫ଲକ୍ଷ ୬୦ହଜାର ଟଙ୍କା ବୋଲି ସେ ଦର୍ଶାଇଛନ୍ତି ।

Comment