ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡବଲ ମର୍ଡର ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ନେତା ଅନୁପ ସାଏଙ୍କ ହାତ ଛାଡ଼ିଦେଲା ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି। ଏହାସହ ସେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ମଧ୍ୟ ହରାଇଛନ୍ତି। ଅନୁପ ଏବେ ପୋଲିସ ହେପାଜତରେ ଅଛନ୍ତି।

୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ହାତ ଥିବା ସନ୍ଦେହ କରିଥିଲା ପୋଲିସ। ଗତ ୧୨ ତାରିଖ ରାତିରେ ଅନୁପଙ୍କୁ ପୋଲିସ ଉଠାଇ ନେଇଥିଲା। ପଚରା ଉଚରା ପରେ ପୋଲିସ ତାଙ୍କୁ ଗିରଫ କରିଛି।

ଅନୁପ ସାଏ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡିକୁ ଆସିଥିଲେ। ୨୦୦୦ରୁ ୨୦୦୯ ଯାଏଁ ସେ କଂଗ୍ରେସ ଟିକେଟରୁ ଲଗାତର ବିଧାନସଭାକୁ ନିର୍ବାଚିତ ହୋଇ ଆସୁଥିଲେ।

୨୦୧୪ରେ ସେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେଡି ଟିକେଟ ନେଇଥିଲେ। ହେଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ସେ ପରାଜିତ ହୋଇଥିଲେ।

ନିର୍ବାଚନ ହାରିବା ପରେ ଅନୁପଙ୍କୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦ ମିଳିଥିଲା। ଏବେ ତାଙ୍କୁ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ କରାଯାଇଥିଲା।

Comment