ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଆଇନକୁ ନେଇ ଯାହାର ବି ଆପତ୍ତି ଅଛି ତାଙ୍କ ସହିତ କଥା ହେବା ପାଇଁ ମୁଁ ରାଜି।’ ଯିଏ ବି ଚାହିଁବେ ତାଙ୍କୁ ତିନି ଦିନ ମଧ୍ୟରେ ସମୟ ଦିଆଯିବ।

‘‘ସିଏଏ ବିରୋଧରେ ଦେଶ ତମାମ ଯେଉଁ ବିରୋଧ ପ୍ରଦର୍ଶନ କରାଯାଉଛି ସେମାନେ କିଏ ଓ କେଉଁ ସ୍ତରରେ ତାହା ହେଉଛି ସେ କଥା ଆମକୁ ଦେଖିବାକୁ ପଡ଼ିବ। ମତେ ଏ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ମିଳିନହାନ୍ତି ଯିଏ ବୁଝାଇପାରିବେ ଯେ ସିଏଏ ମୁସଲିମ ବିରୋଧୀ। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କେବଳ ବିଜେପି ନାଁ ରେ ବିରୋଧ କରୁଛନ୍ତି’’, କହିଛନ୍ତି ଶାହ।

ସେ କହିଛନ୍ତି ଯେ, ଅନୁମାନ କରି କେବେ ଆନ୍ଦୋଳନ କରାଯାଏ ନାହିଁ। ଏଣୁ ଏନଆରସି ଆସିବା ପୂର୍ବରୁ ଏହାକୁ ବିରୋଧ କରିବାର କୌଣସି ଯୁକ୍ତି ନାହିଁ। ପିଛିଲା କଂଗ୍ରେସ ସରକାର ହିନ୍ଦୁ ଓ ଶିଖମାନଙ୍କୁ ଦୀର୍ଘ କାଳୀନ ଭିସା ଦେଇ ସାରିଛନ୍ତି। ଯେଉଁ କଥା କଂଗ୍ରେସ କରିଛି ବା କରୁଛି ତାହା ଧର୍ମନିରପେକ୍ଷ। କିନ୍ତୁ ଯାହା ବିଜେପି କରୁଛି ସେଥିରେ ଅଲଗା ଅର୍ଥ ବାହାର କରାଯାଉଛି।

ଗୃହ ମନ୍ତ୍ରୀ ଆହୁରି କହିଲେ ଯେ, ଏନ ଆର ସି ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ପ୍ରଣବ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଏକ ସଂସଦୀୟ କମିଟି ଗଠିତ ହୋଇଥିଲା। ଏଥିରେ କପିଲ ସିବଲ, ମୋତିଲାଲ ଭୋରା, ଅମ୍ବିକା ସୋନି ଓ ଲାଲୁ ପ୍ରସାଦ ଯାଦବ ସଦସ୍ୟ ଥିଲେ। ଏହି ସଂସଦୀୟ କମିଟିର ୧୦୭ତମ ରିପୋର୍ଟରେ  କୁହାଯାଇଥିଲା ଯେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ବାଧ୍ୟତାମୂଳକ ଭାବେ ପଞ୍ଜିକରଣ କରିବାକୁ ହେବ। ସେମାନଙ୍କୁ ପରିଚୟପତ୍ର ଦିଆଯିବ ଓ ସେମାନଙ୍କର ଏକ ତେଜିଷ୍ଟର ତିଆରି ହେବ। ଯେବେ ଏନଆରସି ହେବ ସେତେବେଳେ ସମସ୍ତେ ଜାଣିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

Comment