ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ବିଜେପି ଦାବି କରିଛି। ନଚେତ ଫେବ୍ରୁଆରି ୨୫ ତାରିଖରୁ ସାରା ରାଜ୍ୟରେ ‘ଓବିସି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ ଚାଲିବ ବୋଲି ଓବିସି ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା, ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି। କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି। କିନ୍ତୁ ରାଜ୍ୟସରକାର ସଂରକ୍ଷ ବ୍ୟବସ୍ଥା ପଛୁଆ ବର୍ଗଙ୍କ ପାଇଁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜମନ ବୋଲି ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁ କହିଛନ୍ତି।

‘‘ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ସଂକ୍ଷଣ ୫୦ ପ୍ରତିଶତରୁ  ଅଧିକା ରହିବା କଥା ନୁହେଁ। ସ୍ୱାଧୀନତା ପରଠାରୁ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ତାଙ୍କର ଜନସଂଖ୍ୟା ଅନୁସାରେ ରାଜ୍ୟରେ ୩୮.୭୫ ଭାଗ ସଂରକ୍ଷଣ ଦିଆଯାଇଛି।  ସମ୍ବିଧାନରେ ନିୟମ ଅନୁଯାୟୀ  ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ୨୨.୫ ଭାଗ ସଂରକ୍ଷଣ ଦିଆଯିବ। ଆଦିବାସୀମାନଙ୍କୁ ୧୫ ଭାଗ ଏବଂ ଦଳିତ ଆଦିବାସୀମାନଙ୍କୁ ୭.୫ ଭାଗ ସଂରକ୍ଷଣ ଦିଆଯିବ। କିନ୍ତୁ ଓଡିଶାରେ ରାଜ୍ୟସରକାର ସଂଖ୍ୟା ଅଧିକା ଦେଖାଇ ମୂଳରୁ ୩୮.୭୫ ଭାଗ ସଂରକ୍ଷଣ ଦେଉଛନ୍ତି’’, କହିଛନ୍ତି ଖାରବେଳ ସ୍ୱାଇଁ।

ଯେତେବେଳ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୩୮.୭୫ ଭାଗ ସଂରକ୍ଷଣ ଦିଆଯାଉଥିଲା ସେତେବେଳେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାର ବ୍ୟବସ୍ଥା ନଥିଲା। ଏହି ଦୁଇଟିଯାକ ସଂରକ୍ଷଣକୁ ଯୋଡିଲେ ୬୫ ଭାଗରୁ ଅଧିକା ହେଉଛି। ଏହି ଆଳ ଦେଖାଇ କିଛି ବ୍ୟକ୍ତି ହାଇକୋର୍ଟରେ ମକଦ୍ଦମା କଲେ ଏବଂ  ହାଇକୋର୍ଟ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ ନାହିଁ ବୋଲି ରାୟ ଶୁଣାଇଲେ। ରାଜ୍ୟରେ ମୋଟ ସଂରକ୍ଷଣ ୫୦ ଭାଗ ରହିଛି। କିନ୍ତୁ  ଏବେ ୧୧.୨୫ ଭାଗ ସଂରକ୍ଷଣ ଦିଆଯାଉଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଓଡିଶାରେ ପାଖାପାଖି ୫୪ ଭାଗ ପଛୁଆ ବର୍ଗ ରହିଛନ୍ତି। ଏହା ସତ୍ୱେ ବି ୨୭ ପ୍ରତିଶତ ସଂରକ୍ଷଣ ସେମାନଙ୍କୁ ମିଳୁନାହିଁ। ଯେତେବେଳ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ କାଟିଦିଆଗଲା ସେତେବେଳେ ରାଜ୍ୟସରକାର ସୁପ୍ରିମକୋର୍ଟ ଯାଇ ଏହା ବିରୋଧରେ ଚାଲେଞ୍ଜ କରିପାରିଥାନ୍ତେ। କିନ୍ତୁ ରାଜ୍ୟସରକାର ତାହା କଲେ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Comment