ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଭିତରକନିକା ମହୋତ୍ସବ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲା। ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଫେବ୍ରୁଆରି ୧୬ ଯାଏଁ ଚାଲିବ। ସାଜସଜ୍ଜା, ଆଲୋକମାଳା, ମାଳମାଳ ଦୋକାନ ବଜାରରେ ଭରପୁର ହୋଇଛି ଭିତରକନିକା ମହୋତ୍ସବ ସ୍ଥଳୀ। ଭିଆଇପିମାନଙ୍କ ପାଇଁ ଅସ୍ଥାୟୀ ବିଶ୍ରାମାଗାର ସାଙ୍ଗକୁ ଚକାଚକ ରଙ୍ଗମଞ୍ଚ ମହୋତ୍ସବର ଶୋଭାବର୍ଦ୍ଧନ କରିଛି। ଉତ୍ସବକୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ସାସ୍କୃତିକ ଦଳ, ଚିତ୍ରତାରକା ମାନଙ୍କର ଲମ୍ବା ଲମ୍ବା ତାଲିକା ରହିଛି।

ଉତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତରକନିକାରର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

‘‘ଭିତରକନିକାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି। କେନ୍ଦ୍ର ସରକାର ସହାୟତା ନଦେଲେ ବି ରାଜ୍ୟ ସରକାର ଭିତରକନିକାର ବିକାଶ କରିବେ।’’

ସେ ଆହୁରି ମଧ୍ୟ କହିଥିଲେ,‘‘ଭିତରକନିକାରେ ଚିଲିକା ପରି ଜଳକ୍ରୀଡ଼ା ବ୍ୟବସ୍ଥା କରାଯିବ। ଭିତରକନିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନୀ ସ୍ଥଳ କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି।’’

ଏହି ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି , ରାଜନଗରର ବିଧାୟକ ଧୃବ ସାହୁ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭିତରକନିକାର ବିକାଶ ପାଇଁ କଥା ଦେଇଛନ୍ତି। ଏହି ଉତ୍ସବର ଉଦଘାଟନୀ ସମାରୋହରେ ବିଶିଷ୍ଟ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କୁ ପୁରସ୍କୃତ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ।

ଅନ୍ୟପକ୍ଷରେ ଭିତରକନିକା ମହୋତ୍ସବ ପୂର୍ବରୁ ଭିତରକନିକାକୁ ରାଜ୍ୟ ମୁଖ୍ୟ ଶାସନ ସଚୀବ, 5T ସଚୀବ , ରାଜ୍ୟ ପୂର୍ତ୍ତ ବିଭାଗ ସଚୀବ ଓ ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ଆଦି ଚାରି ଚାରିଜଣ ବରିଷ୍ଠ ଅଧିକାରୀମାନେ ଆସି ଭିତରକନିକାର ସ୍ଥିତି ଅନୁଧ୍ୟାନ କରି ଫେରି ଯାଇଥିଲେ। କେନ୍ଦ୍ରାପଡ଼ା ଆଶାକରିଥିଲା କି ଭିତରକନିକା ମହୋତ୍ସବରେ ଏହା ଫଳ ମିଳିବ ବୋଲି। ହେଲେ ଉତ୍ସବର ପ୍ରଥମ ଦିନରେ କିନ୍ତୁ କିଛି ବିକାଶର ସ୍ପଷ୍ଟ ଚିତ୍ର ମିଳି ପାରିଲାନି ବୋଲି କେନ୍ଦ୍ରାପଡ଼ା ଲୋକେ ଉଦବେଗ ପ୍ରକାଶ କରିଛନ୍ତି।

Comment