ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ- ଏନସିପିର ବିରୋଧ ଭିତରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏନପିଆର୍ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି।

ମହାରାଷ୍ଟ୍ର ମେଣ୍ଟ ସରକାରରେ ଦେଖାଦେଇଛି ମତଭେଦ। ବର୍ତ୍ତମାନ ସରକାରରେ ସହଯୋଗୀ ଥିବା କଂଗ୍ରେସ ଓ ଏନସିପିର ବିରୋଧ ସତ୍ତ୍ୱେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଏନପିଆର୍ ପକ୍ରିୟା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି।

ସିଏଏ,ଏନଆରସି ଓ ଏନପିଆରକୁ ଲାଗୁ କରିବାକୁ ନେଇ କଂଗ୍ରେସ ସାରା ଦେଶରେ ଜୋରସୋରରେ ବିରୋଧ କରୁଛି। ଏନସିପି ମଧ୍ୟ ଏହାକୁ ମହାରାଷ୍ଟ୍ରରେ ଲାଗୁ କରିବାକୁ ବିରୋଧ କରୁଛି। ଏହାସତ୍ତ୍ୱେ ମଧ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏନପିଆରକୁ ଅନୁମତି ଦେଇଛନ୍ତି। ମେ’ ମାସ ପହିଲାରୁ ମହାରାଷ୍ଟ୍ରରେ ଏହି ଏନପିଆର୍ ପକ୍ରିୟା ଆରମ୍ଭ ହେବ ଏବଂ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି।ମହାରାଷ୍ଟ୍ରରେ ଉଦ୍ଧବ ଏନପିଆରକୁ ଅନୁମତି ଦେବା ପରେ ମେଣ୍ଟ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। କଂଗ୍ରେସ ଓ ଏନସିପି ଏହାକୁ ବିରୋଧ କରୁଥିବା ହେତୁ ଏହାକୁ ନେଇ ବିବାଦ ଉପୁଜିଛି। ଏପରିକି ମହାରାଷ୍ଟ୍ରର ମେଣ୍ଟ ସରକାର ଭାଙ୍ଗିଯିବ ବୋଲି ମଧ୍ୟ କୁହାଯାଉଛି।

ଗତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଜେପିର ହାତ ଛାଡ଼ି କଂଗ୍ରେସ ଓ ଏନସିପି ସହ ମେଣ୍ଟ ଗଠନ କରିଥିଲେ। ଏହାର ନାଁ ରହିଥିଲା ମହାବିକାଶ ଅଘାଡ଼ି ମେଣ୍ଟ। ଏହି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଠନ କରିବା ସହିତ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲା।

Comment