ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ/ବାଙ୍କି: ବାଙ୍କି ବ୍ଲକ୍‌ର ଜୋକଲାଞ୍ଜି ଡ୍ୟାମ୍ ନିକଟରେ ଆଜି ଅପରାହ୍ନରେ ଏକ ଡବଲ୍ ମର୍ଡର ହୋଇଛି। ବିଚ୍ ରାସ୍ତାରେ ଜଣେ ସରପଞ୍ଚଙ୍କ ସ୍ୱାମୀ ଏବଂ ଜଣେ ସାମ୍ବାଦିକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି ଦୁର୍ବୃତ୍ତ। ଘଟଣା ଘଟାଇ ଅପରାଧୀମାନେ ସେଠାରୁ ଫେରାର୍ ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି।

ମୃତକ ଦୁଇଜଣ ହେଲେ ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ଏକ ୱେବ୍ ଚ୍ୟାନେଲ୍‌ର ସାମ୍ବାଦିକ ଆଦିତ୍ୟ ରଣସିଂ। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ନିମର୍ମ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ୍ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି।

ଭଗବାନ, ଆଦିତ୍ୟ ଓ ଅନ୍ୟ ଜଣେ ଯୁବକ ଆଜି ସକାଳୁ ଘରୁ ବାହାରି ବାଙ୍କି ଯାଇଥିଲେ। ସେଠାରୁ କାମ ସାରି ଅପରାହ୍‌ଣରେ ଏକ ବୁଲେଟ୍‌ରେ ଘରକୁ ଫେରୁଥିଲେ। ବାଙ୍କି ବୈଦ୍ୟନାଥ ପୋଲିସ୍ ଥାନା ଅନ୍ତର୍ଗତ ଖଜୁରୀପଦା ନିକଟରେ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଘେରିଥିଲେ। ଉଭୟ ପକ୍ଷ ମଧ୍ୟରେ କିଛି ସମୟର ବଚସା ହେବା ଯୋଗୁଁ ଦୁର୍ବୃତ୍ତମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଭୁଜାଲି ଓ ଟାଙ୍ଗିଆ ସହାୟତାରେ ସେମାନେ ଏହି ତିନିଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ଭଗବାନ ଓ ଆଦିତ୍ୟଙ୍କ ସହିତ ଥିବା ଯୁବକ କଳେ ବଳେ ସେଠାରୁ ଖସିଯାଇଥିଲେ। କିନ୍ତୁ ଦୁର୍ବୃତ୍ତଙ୍କ ହାବୁଡ଼ରୁ ଖସି ପାରିନଥିଲେ ଭଗବାନ ଓ ଆଦିତ୍ୟ। ଫଳରେ ସେମାନଙ୍କୁ ଏକୁଟିଆ ପାଇ ଅତି ନିମର୍ମ ଭାବେ ଦୁର୍ବୃତ୍ତମାନେ ହାଣି ପକାଇ ସେଠାରେ ଫେରାର୍ ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଙ୍କି ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ଭଗବାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଭଗବାନଙ୍କ ମୃତ୍ୟୁ ହୋଇଥିଲା। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହାସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣା ସ୍ଥଳର ଯାଞ୍ଚ୍ ଆରମ୍ଭ କରିଛି।

Comment