ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ମାତ୍ର ଦୁଇ ଦିନ ପରେ ମହାଶିବରାତ୍ରୀ। ଏଥିପାଇଁ ବିଭିନ୍ନ ଶୈବ ପୀଠଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ପାରିପାର୍ଶ୍ୱରେ ସିସିଟିଭି ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ସୋମବାର ସନ୍ଧ୍ୟାରେ ଶ୍ରୀ ଲିଙ୍ଗରାଜ ଥାନା ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଇନ ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୦ ତାରିଖ ସୁଦ୍ଧା ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା କାମ ଶେଷ ହେବ। ମନ୍ଦିର ଦୁଇ ପାର୍ଶ୍ୱ ରାସ୍ତାରେ ଲୋକେ ବସି ଦୀପ ଜାଳିବେ। କୌଣସି ପ୍ରକାର ବିଶୃଙ୍ଖଳା ଉପରେ ନଜର ରଖିବା ପାଇଁ ମନ୍ଦିର ଭିତରେ ଓ ବାହାରେ ୩୨ଟି ସିସି କ୍ୟାମେରା ଲଗାଯିବ। ମୁତୟନ ହେଲେ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ।

ତେବେ ବଢ଼େଇବାଙ୍କ ଛକ, ଗ୍ୟା‌ରେଜ୍‌ ଛକ, ସୁଭଦ୍ରା ମହତାବ ହାଇସ୍କୁଲ, ମାଉସୀ ମା’ ଛକ, କେଦାରଗୌରୀ ଛକ, ଖରାଖିଆ ବୈଦନାଥ ଛକ, ନୂଆ ଲିଙ୍ଗରାଜ ମାର୍କେଟଠାରୁ ରାସ୍ତା ସିଲ୍‌ କରାଯିବ ବୋଲି କୁହାଯାଇଛି।

ଚଳିତବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ।

Comment