ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଓଡ଼ିଶାରେ କଂଗ୍ରେସକୁ ଅଧିକ ସଙ୍ଗଠିତ ଓ ସୁଦୃଢ କରିବାକୁ ଦଳର ହାଇକମାଣ୍ଡ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସାଙ୍ଗକୁ ଜିଲ୍ଲା ଓ ବ୍ଲକ ସ୍ତରରେ ଦଳର ପୁନର୍ଗଠନ ପ୍ରକ୍ରିୟା ଚାଲିଛି। ଏନେଇ ଆଜି ବ୍ରହ୍ମପୁର କଂଗ୍ରେସ ଭବନରେ ଏକ ବୈଠକର ଆୟୋଜନ ହୋଇଥିଲା।

ଏଥିରେ ନିଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଅନିଲ ଚୌଧୁରୀ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ।  ଏହି ବୈଠକ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ପ୍ରମୁଖ ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଦଳର ହାଇକମାଣ୍ଡ ଗଞ୍ଜାମ ଜିଲ୍ଲା କଂଗ୍ରେସ ନେତାମାନଙ୍କ ସହ ବ୍ରହ୍ମପୁର କଂଗ୍ରେସ ଭବନରେ ବୈଠକ କରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ପ୍ରଦେଶ କଂଗ୍ରେସ କମିଟି ନେତୃବୃନ୍ଦ ବାହାରେ ଅପେକ୍ଷା କରିଥିଲେ।

ଦିନକୁ ଦିନ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିବାରେ ଲାଗିଛି। ଏହି କନ୍ଦଳକୁ ଦୂର କରି ଦଳକୁ ସୁଦୃଢ଼ କରିବାକୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି। କଂଗ୍ରେସ ବର୍ତ୍ତମାନ ବ୍ରହ୍ମପୁରରୁ ଏହି ପ୍ରୟାସ ଆରମ୍ଭ କରିଛି।

Comment