ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଦିନକ ପରେ ଜାଗର। ଏବେଠାରୁ ଗୁପ୍ତେଶ୍ଵର ପୀଠରେ ଜାଗର ମେଳା ଆରମ୍ଭ ହୋଇଯାଇଛି। ଏନେଇ ଗୁପ୍ତେଶ୍ଵର ପୀଠ ଚଳଚଞ୍ଚଳ ହୋଇ ଉଠିଛି। ଆସନ୍ତା ଫେବ୍ରୁଆରି ୨୧ ତାରିଖରେ ମହାଶିବରାତ୍ରୀ ପଡୁଥିବାରୁ ୧୯ ତାରିଖଠାରୁ ୨୨ ତାରିଖ ଯାଏଁ ଏହି ମେଳା ଚାଲିବ। ୧୯ ତାରିଖରୁ ଭକ୍ତଙ୍କ ଭିଡ଼ ଜମିବା ଯୋଗୁଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପ୍ରଥମେ ବୈପାରିଗୁଡ଼ାଠାରୁ ଗୁପ୍ତେଶ୍ୱର ଯାଏଁ ରହିଥିବା ରାସ୍ତାର ମରାମତି କରାଯାଇଛି। ରାମଗିରିଠାରୁ ଗୁପ୍ତେଶ୍ୱର ଯାଏଁ ଥିବା ରାସ୍ତାର ମଧ୍ୟ ମରାମତି କରାଯାଇଛି।  ସେହିପରି ମହୋତ୍ସବ ସମୟରେ ଟ୍ରାଫିକ୍ ବ୍ୟବସ୍ଥା, ୪ଟି ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହାସହ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍‌କୁ ସଜାଗ ରହିବାକୁ କୁହାଯାଇଛି।

ଆବଶ୍ୟକ ଅନୁସାରେ ଘରୋଇ ଏବଂ ସରକାରୀ ବସ୍‌ର ବ୍ୟବସ୍ଥା କରାଯିବା ସହ ବସ୍ ଭଡା ଜୟପୁରଠାରୁ ଗୁପ୍ତେଶ୍ୱର ପର୍ଯ୍ୟନ୍ତ ୫୦ ଟଙ୍କା କରିବାକୁ ସ୍ଥିର ହୋଇଛି। ସରକାରୀ ବସ୍‌ ଯେତେ ଟଙ୍କା ଟିକେଟ ନେବେ ଘରୋଇ ବସ ମଧ୍ୟ ସେତେ ଟଙ୍କା ନେବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବିଜୁଳି ଯୋଗାଣରେ ଯେପରି ତ୍ରୁଟି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବା ପାଇଁ ମଧ୍ୟ କୁହାଯାଇଛି।

ଏହି ଯାତ୍ରା ପାଇଁ ଜାନୁଆରି ୨୫ ତାରିଖରେ ଉପଖଣ୍ଡ ପ୍ରଶାସନ ତରଫରୁ ଜୟପୁର ଉପ ଜିଲ୍ଲାପାଳ ବୈଠକ ଡାକି ସବୁ ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ଭକ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ଏବଂ ଆବଶ୍ୟକୀୟ ଦ୍ରବ୍ୟ ଗଚ୍ଛିତ ରଖିବାକୁ  ନିଷ୍ପତ୍ତି ହୋଇଥିଲା। ଏହାସହ ଭକ୍ତମାନଙ୍କ ସ୍ୱାସ୍ଥ୍ୟସେବା ପ୍ରତି ସତର୍କ ଦୃଷ୍ଟି ରଖିବା ସହ ଡକରା ଡକରି ଘାଟିରେ ଏକ ହୋଲଥ୍ ଭ୍ୟାନ ରଖିବା ନେଇ ସ୍ୱାସ୍ଥ୍ୟବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଶିବରାତ୍ରୀ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ ସହ ରାତ୍ରୀରେ ଅନୁଷ୍ଠିତ ହେବାକୁ ଥିବା ପାରମ୍ପରିକ ହରିହର ଭେଟ ସମୟରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍ ପ୍ରଶାସନକୁ ଆଦେଶ ଦିଆଯାଇଥିଲା। ଠିକ ସମୟରେ ହରିହର ଭେଟ କରିବାକୁ ସ୍ଥିର ହୋଇଥିବା ବେଳେ ସ୍ୱତନ୍ତ୍ର ଦର୍ଶନ ପାଇ ଟିକେଟର ବ୍ୟବସ୍ଥା ମଧ୍ୟ କରାଯିବାକୁ ସ୍ଥିର ହୋଇଛି।

Comment