ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥର ନୂଆ ତରିକାରେ ବଜେଟ୍‌ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ଚିରା ଚରିତ ଢଙ୍ଗରୁ ବାହାରି ଏଥର ଡିଜିଟାଲ ମାଧ୍ୟମରେ ବଜେଟ୍‌ ଉପସ୍ଥାପନକୁ ଗୁରୁତ୍ୱ ଦେଇଥିଲେ ରାଜ୍ୟ ସରକାର।

ପ୍ରତିବର୍ଷ ପୁସ୍ତିକା ପଢ଼ି ବଜେଟ୍‌ ଉପସ୍ଥାପନ କରୁଥିଲେ ଅର୍ଥମନ୍ତ୍ରୀ। ହେଲେ ଏଥର ପ୍ରଥମ ଥର ପାଇଁ ଇ-ବଜେଟ୍‌ ଉପସ୍ଥାପନ ହୋଇଛି। ଆଇ ପ୍ୟାଡ ପଢ଼ି ଦେଢ଼ ଲକ୍ଷ କୋଟି ଟଙ୍କା ବଜେଟ୍‌ ଉପସ୍ଥାପନ କରାଯାଇଥିଲା।

ଚଳିତ ବଜେଟ୍‌ରେ ପୁଞ୍ଜି ନିବେଶ, ବିକାଶ, ଭିତ୍ତିଭୂମି ଉନ୍ନୟନ, କୃଷି କ୍ଷେତ୍ର ଏବଂ ସ୍ଵାସ୍ଥ୍ୟ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟ୍‌ ୧୧.୧ ପ୍ରତିଶତ ଅଧିକ ରହିଛି।

ବଜେଟ୍‌ରେ ନୂଆ କ’ଣ?

ରାଜ୍ୟ ସରକାର ଇ-ବଜେଟ୍‌ର ଶୁଭାରମ୍ଭ କରିଛନ୍ତି। ଏକ ସ୍ୱତନ୍ତ୍ର ବଜେଟ୍‌ ମୋବାଇଲ୍‌ ଆପ୍‌ ତିଆରି କରାଯାଇଛି। ଏହି ଆପ୍‌ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ୍‌ ଆପ୍‌ ଷ୍ଟୋରରେ ଉପଲବ୍ଧ ରହିଛି। ବଜେଟ୍‌ ମୋବାଇଲ୍‌ ଆପ୍‌କୁ ସହଜରେ ପାଇବା ପାଇଁ QR code ର ବ୍ୟବସ୍ଥା କରାଯାଇଛି।

ସେହିପରି ରାଜ୍ୟ ସରକାର ନ୍ୟୁଟ୍ରିସନ ବଜେଟ୍‌ ଶୁଭାରମ୍ଭ କରିଛନ୍ତି। ଏହି ବଜେଟ୍‌ ଦସ୍ତାବିଜ୍‌ ଶୁଭାରମ୍ଭ କରିବାରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ। ଜଳବାୟୁ ବଜେଟ୍‌ ଶୁଭାରମ୍ଭ କରିବାରେ ଓଡ଼ିଶା ମଧ୍ୟ ପ୍ରଥମ। ‘ଡିସ୍‌କ୍ଲୋଜର୍‌ ଷ୍ଟାଣ୍ଡାର୍ଡ’ର ଉନ୍ନତି ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଷ୍ଟ୍ରାଟେଜିକ୍‌ ବଜେଟିଂ ପ୍ରକ୍ରିୟାର ପ୍ରବର୍ତ୍ତନ କରାଯାଇଛି।

ସ୍ୱାସ୍ଥ୍ୟସେବା ପାଇଁ ୭ ହଜାର ୭୦୦ କୋଟି

ସ୍ୱାସ୍ଥ୍ୟସେବା ଲାଗି ମୋଟ୍‌ ୭ ହଜାର ୭୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ଏହା ବିଗତ ବର୍ଷ ତୁଳନାରେ ୧୪ ପ୍ରତିଶତ ଅଧିକ। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ପାଇଁ ୧୧୦୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୁରୁଷ ହିତାଧିକାରୀଙ୍କ କ୍ଷେତ୍ରରେ ପରିବାର ପିଛା ୫ ଲକ୍ଷ ଟଙ୍କା ଏବଂ ମହିଳା ହିତାଧିକାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଦିଆଯିବ।

ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ମାଧ୍ୟମରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ପାଇଁ ୫୭୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୧୬୫୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନିର୍ମଳ ଯୋଜନାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ପରିମଳ ବ୍ୟବସ୍ଥାର ଉନ୍ନତି, ଲଣ୍ଡ୍ରୀ, ସୁରକ୍ଷା ଉଦ୍ୟାନ ଏବଂ ଲିଫ୍ଟ ସେବା ପାଇଁ ୩୬୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ଏସ୍‌ସିବି ମେଡିକାଲ କଲେଜକୁ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ୧୦୦୦ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ରହିଛି।

ପୁରୀ, ଯାଜପୁର, କେନ୍ଦୁଝର, ଭବାନୀପାଟଣା, ସୁନ୍ଦରଗଡ଼ (ଏନ୍‌ଟିପିସି ସହାୟତା) ଏବଂ ତାଳଚେର (ଏମ୍‌ସିଏଲ) ସହାୟତାରେ ଓ କନ୍ଧମାଳଠାରେ ୭ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୫୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଭୁବନେଶ୍ୱର ଓ ଅନୁଗୁଳରେ ଥିବା ଇଏସ୍‌ଆଇ ମେଡିକାଲ ପାଇଁ ୨୨୦ ଡାକ୍ତର ଓ ସହକାରୀ ସ୍ୱାସ୍ଥ୍ୟ କର୍ମୀ ପଦବୀ ସୃଷ୍ଟି ଓ ରାଜ୍ୟ କର୍ମଚାରୀ ବୀମା ଯୋଜନା ପାଇଁ ୪୭ କୋଟି ଟଙ୍କାର ବ୍ୟୟବରାଦ।

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୨ ହଜାର ୬୩୧ କୋଟି

ବଜେଟ୍‌-୨୦୨୦ରେ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ମୋ’ ସ୍କୁଲ ଏବଂ ମୋ’ କଲେଜ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।

ଶିକ୍ଷା ଅଭିଯାନ ପାଇଁ ୩ ହଜାର ୧୫୭ କୋଟି, ମଧ୍ୟାହ୍ନ ଭୋଜନ ପାଇଁ ୮୦୦ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୦୦ କୋଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଲ୍‌ପିଜି ସଂଯୋଗ ପାଇଁ ୮ କୋଟି, ମୋ’ ସ୍କୁଲ ଅଭିଯାନ ପାଇଁ ୪୦ କୋଟି, ମୋ’ କଲେଜ ଅଭିଯାନ ଲାଗି କର୍ପସ ପାଣ୍ଠି ପାଇଁ ୧୦ କୋଟି, ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୨୩୧ କୋଟି, ପ୍ରି ମାଟ୍ରିକ ଓ ପୋଷ୍ଟ ମାଟ୍ରିକ ବୃତ୍ତି ପାଇଁ ୧୪୨୫ କୋଟି, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ୧୩୦ କୋଟି,  ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପାଇଁ ୨୨୦ କୋଟି, ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଯାନ୍ତ୍ରିକ ମହାବିଦ୍ୟାଳୟର ବିକାଶ ଲାଗି ୧୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

କୃଷି ପାଇଁ ୧୯ ହଜାର ୪୦୮ କୋଟି

କୃଷି ଓ କୃଷକଙ୍କ ବିକାଶ ବିକାଶ ବିନା ରାଜ୍ୟର ବିକାଶ ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି। କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ମୋଟ ୧୯ ହଜାର ୪୦୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଗତ କିଛି ବର୍ଷ ହେଲା ରାଜ୍ୟ ସରକାର ସ୍ୱତନ୍ତ୍ର ବଜେଟ୍‌ ଉପସ୍ଥାପନ କରି ଆସୁଛନ୍ତି।

‘କାଳିଆ’ ଯୋଜନା ପାଇଁ ୩,୧୯୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ କୃଷି ଋଣ ଉପରେ ସୁଧ ରିହାତି ପାଇଁ ୭୦୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କୃଷି ବିଦ୍ୟା, ଗବେଷଣା ଓ ଭିତ୍ତିଭୂମିର ବିକାଶ ପାଇଁ ଓୟୁଏଟିକୁ ୧୫୦ କୋଟି ଟଙ୍କାର ଅନୁଦାନ ଦିଆଯାଇଥିବା ବେଳେ ଜାତୀୟ କୃଷି ଉଦ୍ୟାନ ମିଶନ ପାଇଁ ୧୨୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କୃଷକମାନଙ୍କୁ ରାସାୟନିକ ସାର, ଉନ୍ନତମାନର ବିହନ ଆଗୁଆ ଦେବା ପାଇଁ ୧୦୦ କୋଟି ଟଙ୍କାର ‘ରିଭଲଭିଂ ଫଣ୍ଡ’ ଗଠନ କରାଯାଇଛି।

ବାଣିଜ୍ୟିକ କୃଷି ଉଦ୍ୟୋଗର ପ୍ରତିଷ୍ଠା ଲାଗି ଆବଶ୍ୟକ ପୁଞ୍ଜି ନିବେଶ ଉପରେ ରିହାତି ଦେବା ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କୃଷି ଯନ୍ତ୍ରପାତି ଓ ଡିଜେଲ ଚାଳିତ ପମ୍ପସେଟର ଅଧିକ ବ୍ୟବହାର ପାଇଁ ୨୨୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କୃଷି ଉତ୍ପାଦ ଗୋଷ୍ଠୀକୁ ସହାୟତା ଦେବା ପାଇଁ ୬୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ପରମ୍ପରାଗତ କୃଷି ବିକାଶ ଯୋଜନ ଅଧିନରେ ପ୍ରାୟ ୨୦ ହଜାର ୮୦୦ ହେକ୍ଟର ଜମିରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ୪୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୭୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଜଳସେଚନକୁ ଗୁରୁତ୍ୱ

ପିଏମ୍‌କେଏସ୍‌ୱାଇ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଅସମ୍ପୂର୍ଣ୍ଣ ଏଆଇବିପି ପ୍ରକଳ୍ପ ପାଇଁ ୧୮୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜଳ ସଂରକ୍ଷଣ ଓ ବ୍ୟବହାର କ୍ଷେତ୍ରରେ ବୃହତ ପରିବର୍ତ୍ତନ ଆଣିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ମୋଟ ୧୨ ହଜାର କୋଟି ଟଙ୍କା ବ୍ୟୟରେ ସମସ୍ତ ପ୍ରମୁଖ ନଦୀଗୁଡ଼ିକରେ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର୍‌ର ନିର୍ମାଣ। ଏଥିପାଇଁ ଏହି ବର୍ଷ ବଜେଟ୍‌ରେ ୧୦୯୨ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି।

ଜଳକ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ଅଧୀନରେ ଚାଲୁଥିବା ଏବଂ ନୂତନ ପ୍ରକଳ୍ପ ପାଇଁ ୯୧୦ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି, ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୩୬୦ କୋଟି, ୧୨୦୦ ଅଚଳ ଉଠା ଜଳସେଚନ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ପାଇଁ ୧୯୩ କୋଟି ଟଙ୍କାର ପ୍ରସ୍ତାବ ରହିଛି। ପାର୍ବତୀ ଗିରି ବୃହତ୍‌ ଉଠାଜଳସେଚନ ପାଇଁ ୫୪୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ପାନୀୟ ଜଳ ଉପରେ ଗୁରୁତ୍ୱ

ପ୍ରତି ଘରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଚଳିତ ବଜେଟ୍‌ରେ ଏହି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳର ୬୦ ପ୍ରତିଶତ ଓ ସହରାଞ୍ଚଳର ଶହେ ପ୍ରତିଶତ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳଯୋଗାଣ ଯୋଜନାରେ ଗ୍ରାମାଞ୍ଚଳରେ ଜଳ ଯୋଗାଣ ପାଇଁ ୩ ହଜାର ୨୫୦ କୋଟି, ସହରାଞ୍ଚଳ ଜଳ ଯୋଗାଣ ପାଇଁ ୨୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହାସହ ଜଳ ଜୀବନ ମିସନ ପାଇଁ ୨ ହଜାର କୋଟି ଟଙ୍କା, ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ପାଇଁ ୫୬୦ କୋଟି, ଓଡ଼ିଶା ଖଣିଜ ସମ୍ପଦପୂର୍ଣ୍ଣ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ୮ଟି ଖଣିଜ ଦ୍ରବ୍ୟ ଥିବା ଜିଲ୍ଲାରେ ୬୯୧ଟି ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ୯୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ। ୫-ଟି ଯୋଜନା ଅନୁସାରେ ‘ଡ୍ରିଙ୍କ୍ ଫ୍ରମ୍‌ ଟ୍ୟାପ୍‌’ ମିଶନ ଜରିଆରେ ସମସ୍ତ ୧୧୪ଟି ପୌରାଞ୍ଚଳରେ ନିରବଚ୍ଛିନ୍ନ ଜଳ ଯୋଗାଣ ତଥା ପାନୀୟ ଜଳର ମାନ ବୃଦ୍ଧି ନିମନ୍ତେ ବ୍ୟବସ୍ଥା କରାଯାଉଛି।

ଏହି ଯୋଜନାରେ ରାଜ୍ୟ ସରକାର ୯ଟି ପାଇଲଟ ପ୍ରୋଜେକ୍ଟ ହାତକୁ ନେଇଛନ୍ତି। ଏଥିପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ଫୋକସ୍‌

ପୁରୀ ଶ୍ରୀମନ୍ଦିର ଅଞ୍ଚଳର ବିକାଶ ପାଇଁ ଅବଢ଼ା ଯୋଜନା ଅଧିନରେ ଏଥର ମୋଟ୍ ୬୯୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଏଥିସହିତ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ଏଥର ବଜେଟରେ ଗୁରୁତ୍ୱ ଦେଇଛନ୍ତି।

ପୁରୀ ଶ୍ରୀମନ୍ଦିର ଅଞ୍ଚଳର ବିକାଶ ପାଇଁ ଅବଢ଼ା ଯୋଜନାରେ ୬୯୫ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ  ଏକାମ୍ର କ୍ଷେତ୍ର ବିକାଶ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପର୍ଯ୍ୟଟନ ବିଭାଗ ପାଇଁ ୪୦୧ କୋଟି ଟଙ୍କା, ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନୟନ ଓ ପରିଚାଳନା ପାଇଁ ୧୮୭କୋଟି, ଶାମୁକା ପ୍ରକଳ୍ପର ଉନ୍ନତିକରଣ ପାଇଁ ୮୦ କୋଟି, ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବା ପାଇଁ ଖର୍ଚ୍ଚ ହେବ ୬୬ କୋଟି ଟଙ୍କା, ଐତିହ୍ୟ କୀର୍ତ୍ତିରାଜି ଓ ପର୍ଯ୍ୟଟନ କେନ୍ଦ୍ରମାନଙ୍କର ବିକାଶ ପାଇଁ ୫୦ କୋଟି ଟଙ୍କା, ବନାଞ୍ଚଳରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଓ ଆର୍ଦ୍ରଭୂମି ଚାରିପାଖରେ ଥିବା ଇକୋ-ଟୁରିଜିମ୍ କେନ୍ଦ୍ରମାନଙ୍କର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣା ପାଇଁ ୨୫କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ପାଇଁ ଖର୍ଚ୍ଚ ହେବ ୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସହରାଞ୍ଚଳ ବିକାଶ ପାଇଁ ୬ ହଜାର ୧୮୦ କୋଟି

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସହରାଞ୍ଚଳ ଉନ୍ନୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଅର୍ଥମନ୍ତ୍ରୀ ମଙ୍ଗଳବାର ରାଜ୍ୟ ବଜେଟରେ ୬ ହଜାର ୧୮୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୩୫୧କୋଟି,  ବସୁଧା ଯୋଜନାରେ ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ୨୩୬ କୋଟି, JICA ସହାୟତାରେ ଓଡ଼ିଶା ସମନ୍ନିତ ପରିମଳ ଉନ୍ନୟନ ପ୍ରକଳ୍ପ ପାଇଁ ୩ ଶହ କୋଟି, ଭୁବନେଶ୍ୱର ଏବଂ କଟକରେ ‘ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି’ ପାଇଁ ୧୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ୫୧୮ କୋଟି, ସ୍ୱଚ୍ଛ ଭାରତ ମିଶନର ସହରାଞ୍ଚଳ ଉପାଦନ ଲାଗି ୩ ଶହ କୋଟି, ଜାତୀୟ ସହରାଞ୍ଚଳ ଜୀବିକା ମିଶନ ପାଇଁ ୫୫ କୋଟି, ଭୁବନେଶ୍ୱର ଓ ରାଉରକେଲାର ସ୍ମାର୍ଟ ସିଟିର ଉନ୍ନତି ପାଇଁ ସ୍ମାର୍ଟ ସିଟି ମିଶନରେ ୨ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ଜାଗା ମିଶନ ଅଧିନରେ ୨ ହଜାର ୯୧୯ ବସ୍ତିକୁ ବସବାସ ଉପଯୋଗୀ କରିବା ପାଇଁ ଏବଂ ଆବଶ୍ୟକୀୟ ଭିତ୍ତିଭୂମି, ସେବା ତଥା ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବା ପାଇଁ ଶହେ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଆବାସ ଯୋଜନା ପାଇଁ ୩ ହଜାର ୯୬୨ କୋଟି

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମୋଟ ୩ ହଜାର ୯୬୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏନେଇ ଚଳିତ ରାଜ୍ୟ ବଜେଟରେ ବ୍ୟୟବରାଦ ଧାର୍ଯ୍ୟ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପାଇଁ ଖର୍ଚ୍ଚ ହେବ ୩ ହଜାର ୯୬୨ କୋଟି ଟଙ୍କା, ନଗରାଞ୍ଚଳରେ ଗୃହନିର୍ମାଣ ପାଇଁ ଆଉ ୫୧୮ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କଲେ ଅର୍ଥମନ୍ତ୍ରୀ। ପୌରାଞ୍ଚଳର ବସ୍ତି ବାସିନ୍ଧାଙ୍କୁ ଭୂମି ଅଧିକାର ସହ ମୌଳିକ ସୁବିଧା ସୁଯୋଗ ଦେବ ‘ଜାଗା ମିଶନ’।

ମିଶନ ଶକ୍ତି ପାଇଁ ୩୧୬ କୋଟି

ଏଥର ରାଜ୍ୟ ବଜେଟରେ ମହିଳା ଓ ଶିଶୁ ବିକାଶକୁ ଧ୍ୟାନ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥର ବିଧାନସଭା ବଜେଟରେ ରାଜ୍ୟ ସରକାର ମିଶନ ଶକ୍ତି ପାଇଁ ମୋଟ୍ ୩୧୬ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି।

ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ପାଇଁ ୪ ହଜାର ୭୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପୁଷ୍ଟି କୈନ୍ଦ୍ରିକ ଯୋଜନା ପାଇଁ ୫ ହଜାର ୨୧୦କୋଟି ଟଙ୍କା ଏବଂ ପୁଷ୍ଟି ସମ୍ବେଦନଶୀଳ ଯୋଜନା ପାଇଁ ୨୩ ହଜାର ୭୫୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

୬ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରଣୟନ, ଏହି ଯୋଜନାରେ ଅତିରିକ୍ତ ପୁଷ୍ଟିକର କାର୍ଯ୍ୟକ୍ରମ ପାଇଁ ୧ ହଜାର ୧୬୧ କୋଟି ଟଙ୍କା ଖର୍ଚ୍ଚ ହେବ।

ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ପାଇଁ ୭୭ କୋଟି ଟଙ୍କା ବଜେଟ୍ ବ୍ୟୟବରାଦ, କିଶୋରୀ ବାଳିକାଙ୍କ ସଶକ୍ତିକରଣ ଯୋଜନା ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା ପାଇଁ ଖର୍ଚ୍ଚ ହେବ ୪୭୪ କୋଟି ଟଙ୍କା, ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଛାଡ଼ ପାଇଁ ୧ ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ମିଶନ ଶକ୍ତି ମହିଳାଙ୍କ ପାଇଁ ୩୧୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ଶିଶୁମାନଙ୍କୁ ପୋଷାକ ଯୋଗାଇବା ପାଇଁ ୭୩ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର।

Comment