ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ବାଙ୍କୀ ଡବଲ୍ ମର୍ଡରକୁ ୫ଦିନ ବିତିଥିଲେ ବି ପୋଲିସ୍ ଘଟଣାର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ୍ କରିପାରୁନି। ବର୍ତ୍ତମାନ ସୁଦ୍ଧା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏନେଇ ଆଜି ସାମ୍ଵାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ। ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଦା ଗ୍ରାମର ବଳଭଦ୍ର ପ୍ରଧାନ ଓ ଜିତେନ୍ଦ୍ର ସ୍ୱାଇଁ।

ଏହି ଘଟଣାରେ ଅନେକ ରହସ୍ୟ ରହିଯାଇଛି ଯାହା ପୋଲିସ୍ ବି ଅଜଣା। ଅନ୍ୟପକ୍ଷରେ ଦିନ ଗଡ଼ି ଚାଲିଥିବାରୁ ଚାପ ମଧ୍ୟ ବଢ଼ିଚାଲିଛି। ଶାସକ ଗୋଷ୍ଠୀ ବିପକ୍ଷରେ ଅଭିଯୋଗ ଯାଉଥିବାରୁ ବିରୋଧୀ ଆନ୍ଦୋଳନ ପାଇଁ ସଜବାଜ ହେଲେଣି। ତେଣୁ ଏଭଳି ପରିସ୍ଥିତିରେ ପୋଲିସ ନିଜର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଡ଼କାଇ ଏ ସମ୍ପର୍କରେ ସୂଚନା ଦେଇଛି।

ଅଭିଯୁକ୍ତମାନଙ୍କୁ କଟକର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଘଟଣା ପଛରେ ଏକ ବଡ଼ ଗୋଷ୍ଠୀ ଥିବା ବେଳେ ପ୍ରକୃତ ହତ୍ୟାକାରୀମାନେ ଏବେ ବି ପୋଲିସ୍ ହାତରୁ ଦୂରରେ। ବିଭିନ୍ନ ପ୍ରକାରର ପ୍ରଚେଷ୍ଟା ସତ୍ତ୍ୱେ ଅପରାଧୀଙ୍କ ଟେର୍ ପାଉନି ପୋଲିସ।

ଅନ୍ୟପକ୍ଷରେ ସ୍ୱତନ୍ତ୍ର ପୋଲିସ୍ ଟିମ୍ କଟକ ବାହାରକୁ ଯାଇ ସନ୍ଧାନ ଚଳାଇଛନ୍ତି। ଫୋନ୍ ଟ୍ରାକିଂ ପାଇଁ ସ୍ୱତନ୍ତ୍ର ସାଇବର୍ ଟିମ୍ ଘଟଣାରେ କସରତ କରୁଛନ୍ତି। ଏସ୍‌ପି, ଅତିରିକ୍ତ ଏସ୍‌ପି, ଉପଖଣ୍ଡ ଅଧିକାରୀଙ୍କ ସମେତ ପୋଲିସ୍ ଅଧିକାରୀମାନଙ୍କ ନେତୃତ୍ୱରେ ଚାଲିଛି ଘଣ୍ଟାଚକଟା। ହେଲେ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବା ଜିଲ୍ଲା ପୋଲିସ୍ ପାଇଁ କାଠିକର ପାଠ ହୋଇଛି।

ଗତ ୧୫ତାରିଖ ଶନିବାର ଅପରାହ୍‌ଣରେ ବାଙ୍କୀ ବ୍ଲକ୍ ଜୋକଲାଞ୍ଜି ଡ୍ୟାମ୍ ନିକଟରେ ଡବଲ୍ ମର୍ଡର ହୋଇଥିଲା। ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ଏକ ୱେବ୍ ଚ୍ୟାନେଲ୍‌ର ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କୁ ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଥିଲେ ବି ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ହତ୍ୟାକାରୀଙ୍କୁ ଧରିବା ପୋଲିସ୍ ପାଇଁ ଚ୍ୟାଲେଞ୍ଜିଂ ହୋଇଥିଲା। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ମର୍ଡର କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ହତ୍ୟାକାରୀ କିଏ ମଧ୍ୟ ଜାଣିଥିଲା ପୋଲିସ୍। ମୃତ୍ୟୁ ପୂର୍ବରୁ ଭଗବାନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଭିଡିଓ ଭାଇରାଲ ହେବା ପରେ ଘଟଣା ପଛରେ ଥିବା ଅଭିଯୁକ୍ତଙ୍କ ସୂଚନା ମିଳିଥିଲା।

ବାଙ୍କୀ ଓ ବୈଦେଶ୍ୱର ଥାନା ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାକୁ ଲାଗି ପଡ଼ିଥିଲା। କିନ୍ତୁ ଅଭିଯୁକ୍ତମାନେ ହତ୍ୟାକାଣ୍ଡ ଘଟାଇବା ପରେ କଟକ ଛାଡ଼ି ଦେଇଥିବାରୁ ନାକେଦମ୍ ହୋଇଥିଲା ପୋଲିସ୍। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ୪ଟି ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କ ସୂଚନା ପାଇ କଟକ ବାହାରକୁ ଯାଇଥିଲା। ସେଠାରୁ ଦୁଇ ଜଣଙ୍କୁ ଧରିବା ପରେ ଉଭୟଙ୍କୁ ଆଜି ବାଙ୍କୀ ଅଣାଯାଇ ପଚରା ଉଚରା କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।

Comment