ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ଜାଗର। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବ ପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତମାନେ ଯେମିତି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ମନ୍ଦିର ଆୟୋଜକ କମିଟି ଏବଂ ପ୍ରଶାସନ ପକ୍ଷରୁ ଧ୍ୟାନ ଦିଆଯାଇଛି।

ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ

ଭୁବନେଶ୍ୱର ଏକାମ୍ରକ୍ଷେତ୍ରର ଅରାଧ୍ୟ ଦେବତା ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ। ସେହିପରି ୧୦୦ ଜଣ ଅଫିସର ମଧ୍ୟ ନିୟୋଜିତ ହେବେ।

ଲିଙ୍ଗରାଜ ମନ୍ଦିର ଚାରିପଟୁ ବେଆଇନ ଉଚ୍ଛେଦ ହଟିବା ପରେ ପ୍ରଶାସନ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦେଇଛି। ସେନ୍ଦର୍ଯ୍ୟକରଣର ତଦାରଖ ନିଜେ ବିଏମ୍‌ସି କମିସନର ଏବଂ ଖୋର୍ଦ୍ଧା ଜିଲ୍ଲାପାଳ କରୁଛନ୍ତି। ଏଥର ମନ୍ଦିର ଭିତରେ ଏବଂ ବାହାରେ ଦୀପ ଜାଳିବାର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ସୂରରେ ବ୍ୟାରିକେଟ୍‌ ନିର୍ମାଣ କରାଯାଇଛି। ଖରାରୁ ରକ୍ଷା ପାଇବା ପାଇଁ ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ସିଂହଦ୍ୱାର ଏବଂ ମନ୍ଦିର ଭିତର ବେଢ଼ାକୁ ଫୁଲରେ ସଜା ଯାଇଛି। ଏଥିପାଇଁ ୨୦ ପ୍ରକାରର ଫୁଲ ଲଗାଯାଇଛି। ଦୁଇ ଚକିଆ ଏବଂ ଚାରି ଚକିଆ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୋର ୩ଟାରୁ ଲିଙ୍ଗରାଜଙ୍ଗ ପହଡ଼ ଖୋଲିବ ଏବଂ ରାତି ୧୦ଟାରେ ମହାଦୀପ ଉଠିବ।

ଲୋକନାଥଙ୍କ ପୀଠରେ ରାତି ୧୨ଟାରେ ଉଠିବ ମହାଦୀପ

ମହାଶିବରାତ୍ରୀ ପାଇଁ ପୁରୀ ଲୋକନାଥଙ୍କ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରଙ୍ଗ ବେରଙ୍ଗ ଫୁଲରେ ମନ୍ଦିରକୁ ସଜା ଯାଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ରାତି ୧୨ଟାରେ ମହାଦୀପ ଉଠିବ ଏବଂ ରାତି ସାଢ଼େ ୧ଟାରେ ହରି-ହର ଭେଟ ହେବ।

ବେଦବ୍ୟାସ ପୀଠରେ ବ୍ୟାପକ ପ୍ରସ୍ତୁତି

ରାଉରକେଲା ବେଦବ୍ୟାସ ପୀଠରେ ମହାଶିବରାତ୍ରୀ ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛ। ଏଠାରେ ପୂଜା ପାଉଥିବା ଚନ୍ଦ୍ରଶେଖର ଏବଂ ବାଲୁଙ୍କେଶ୍ୱର ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିବ। ଭୋର ୩ଟା୩୦ରୁ ୪ଟା୩୦ ଭିତରେ ମହାଦୀପ ଉଠିବାର ବ୍ୟବସ୍ଥା କରାଯାଇଛି।

Comment