ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପାଇଁ ଆଉ ମାତ୍ର ଅଳ୍ପ ଦିନ ରହିଛି। ତାଙ୍କର ଏହି ବହୁ ପ୍ରତୀକ୍ଷିତ ଗସ୍ତକୁ ନେଇ ବ୍ୟାପକ  ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜେ ଟ୍ରମ୍ପ ତାଙ୍କର ଭାରତ ଗସ୍ତକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ଓ ଏନେଇ ଟୁଇଟ ବି କରିସାରିଛନ୍ତି। ଗୋଟିଏ ପଟେ ଆମେରିକା-ଚୀନର ବ୍ୟବସାୟିକ ସମ୍ପର୍କକୁ ନେଇ ଉଠିଥିବା ବିବାଦରେ ଭାରତ ଭଲ ବ୍ୟବହାର କରି ନାହିଁ ବୋଲି ଟ୍ରମ୍ପ ଅଭିଯୋଗ କରିବା ସତ୍ତ୍ୱେ କାହିଁକି ଆମେରିକା ରାଷ୍ଟ୍ରପତି ନୂଆଦିଲ୍ଲୀ ଆସୁଛନ୍ତି ଏଇଟି ଏକ ବଡ଼ ପ୍ରଶ୍ନ ହୋଇଛି। ଟ୍ରମ୍ପ ତାଙ୍କ ଟୁଇଟରେ କହିଛନ୍ତି ଯେ ଭାରତରେ ଲକ୍ଷ ଲକ୍ଷ ଲୋକ ତାଙ୍କ ଆସିବାକୁ ଅପେକ୍ଷା କରିଛନ୍ତି।

ଟ୍ରମ୍ପ କାହିଁକି ଭାରତ ଆସିବା ପାଇଁ ଉତ୍ସୁକ ଆସନ୍ତୁ ଜାଣିବା:

ନିର୍ବାଚନ

ଏବର୍ଷ ଆମେରିକାରେ ନିର୍ବାଚନ ହେବାକୁ ଯାଉଛି। ଆମେରିକାରେ ପ୍ରାୟ ୩୦ ଲକ୍ଷ ଭାରତୀୟ ବସବାସ କରୁଥିବା ଜଣାପଡ଼ିଛି। ଟ୍ରମ୍ପ ଭାରତ ଆସି ପ୍ରବାସୀ ଭାରତୀୟଙ୍କ ପାଇଁ କିଛି ସନ୍ଦେଶ ନିଶ୍ଚିତଭାବେ ଦେବେ। ପ୍ରକୃତ କଥା ହେଉଛି ଆମେରିକା ନିର୍ବାଚନରେ ଭାରତୀୟମାନଙ୍କ ଭୋଟ୍‌ବେଶ ଗୁରୁତ୍ୱପୂର୍ଣ୍ଣ। ଟ୍ରମ୍ପ ଚାହୁଁଛନ୍ତି ଭାରତ ଗସ୍ତରେ ଆସି ସେଠାକାର ଭାରତୀୟ ଲୋକଙ୍କୁ ଏଠାରୁ ଏକ ସକାରାତ୍ମକ ସନ୍ଦେଶ ପଠେଇବେ।

ଏସିଆ

କିଛି ଦିନ ଧରି ଆମେରିକା ଓ ଚୀନ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଆସିଛି। ଏଣୁ ଏସିଆ ମହାଦେଶରେ ନିଜ ଦବଦବା ଜାରି ରଖିବା ପାଇଁ ହେଲେ ଆମେରିକାକୁ ଜଣେ ଭଲ ସାଥୀ ଦେଶ ଦରକାର। ଏସିଆ ମହାଦେଶରେ ଭାରତର ବେଶ ପ୍ରଭାବ ରହିଛି। ଏଣୁ ଭାରତ ସହିତ ବନ୍ଧୁତା ବଢ଼ାଇ ଚୀନକୁ ଚେକ ଦେବା ହେଉଛି ଟ୍ରମ୍ପଙ୍କ ଭାରତ ଗସ୍ତର ଅନ୍ୟ ଏକ ବଡ଼ ଉଦ୍ଦେଶ୍ୟ।

ବଜାର

ଟ୍ରମ୍ପ ଯଦି ଭାରତ ଆସୁଛନ୍ତି ତାହାର ଅନ୍ୟ ଏକ ବଡ଼ କାରଣ ହେଉଛି ଭାରତର କ୍ରମବର୍ଦ୍ଧିଷ୍ଣୁ ବଜାର ଉପରେ ତାଙ୍କର ଆଖି ରହିଛି। ଭାରତରେ ଏକ ବଡ଼ ଉପଭୋକ୍ତା ବଜାର ରହିଛି ଯାହାକୁ ହାତେଇବା ପାଇଁ ଟ୍ରମ୍ପ ଇଛୁକ। ଏହି ଗସ୍ତ ବେଳେ ଟ୍ରମ୍ପ ଏକଥା ବି ଚାହିଁବେ କି ଆମେରିକାର କମ୍ପାନିଗୁଡ଼ିକୁ ଏଠି କିଛି ମୋଟା ପରିମାଣର ରିହାତି ମିଳୁ। ଯଦିଓ ଭାରତ ପକ୍ଷରୁ ଆମେରିକାର ସାମଗ୍ରୀ ଉପରେ ବହୁଳ ପରିମାଣର ଶୁଳ୍କ ଲଗାଯାଉଛି, ଆମେରିକା କିନ୍ତୁ ଦେଖିଛି ଏହା ଅସ୍ଥାୟୀ ଓ ପରବର୍ତ୍ତୀ ସମୟରେ ଏହା ଆମେରିକା ପାଇଁ କାମ ଦେବ। ଏଣୁ ଭାରତ ସହିତ ଆମେରିକା ଭଲ ସମ୍ପର୍କ ବଜାୟ ତଖିବା ପାଇଁ ବ୍ୟଗ୍ର।

ମୋଦୀ

ଟ୍ରମ୍ପଙ୍କ ଭାରତ ଗସ୍ତ ଦ୍ୱାରା କେବଳ ଯେ ଆମେରିକକୁ ଫାଇଦା ହେବ ତାହା ନୁହଁ, ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଏଥିରେ ଫାଇଦା ଅଛି। ଟ୍ରମ୍ପ ଓ ମୋଦୀଙ୍କ ଭିତରେ ଉତ୍ତମ ସମ୍ପର୍କ ରହିଛି ଏହା ସମସ୍ତେ ଜାଣିଛନ୍ତି। ହ୍ୟୁଷ୍ଟନରେ ଅନୁଷ୍ଠିତ ହାଉଡି ମୋଦୀ କାର୍ଯ୍ୟକ୍ରମରେ ଟ୍ରମ୍ପ ଦୁଇ ଘଣ୍ଟା ଭାଷଣ ଦେଇଥିଲେ। ଟ୍ରମ୍ପ ସେହି ଇଭେଣ୍ଟକୁ ପୁଣି ଥରେ ମନେ ପକାଇବା ପାଇଁ ନିଶ୍ଚିତ ଭାବରେ ଚାହିଁବେ। ଯେହେତୁ ଭାରତରେ ଏକ ସଂଖ୍ୟା ଗରିଷ୍ଠ ସରକାର ରହିଛି ଟ୍ରମ୍ପ ଏହି ଅନୁକୂଳ ରାଜନୈତିକ ସ୍ଥିତିକୁ ଏକ ଦୀର୍ଘକାଳୀନ ଲାଭରେ ପରିଣତ କରିବା ପାଇଁ ଚାହୁଁଛନ୍ତି।

Comment