ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରଲୋକରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା ଅନବାଦକ ଯୁଗଳ କିଶୋର ଦତ୍ତ। ଭୁବନେଶ୍ଵରସ୍ଥିତ ଆଚାର୍ଯ୍ୟବିହାର ବାସଭବନରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।

ଓଡ଼ିଆ ସାହିତ୍ୟ ଜଗତକୁ ଯୁଗଳ କିଶୋରଙ୍କ ଅବଦାନ ଅତୁଳନ୍ୟ। ପ୍ରାୟ ଦେଢ଼ଶହ ବଙ୍ଗଳା ଉପନ୍ୟାସ ସେ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ କରିଛନ୍ତି। ଅଳ୍ପ କିଛି ଓଡ଼ିଆ ଗପ ବି ବଙ୍ଗଳାକୁ ଅନୁବାଦ କରିଛନ୍ତି। କିନ୍ତୁ ଓଡ଼ିଆକୁ ଅନୁବାଦ ତୁଳନାରେ ତାହା ନଗଣ୍ୟ। ଜନ ଗଣ ମନ, ସେଇ ସମୟ, ଶତାବ୍ଦୀର ପ୍ରେମ, ମାନସୀ, ଗାଁ ହସେ, ନିଶି ବିହଙ୍ଗୀ, ଏକାନ୍ତ ସତ୍ୟ ଭଳି ଅନେକ ଗପ ସେ ଲେଖିଛନ୍ତି।

ଯୁଗଳ କିଶୋର ଦତ୍ତଙ୍କର ଜନ୍ମ ୨୪ ଡିସେମ୍ବର ୧୯୨୮ ଯାଜପୁର ଜିଲ୍ଲାର ମହେଶ୍ୱରପୁରରେ। ପିତା ନଦୀୟା ଚାନ୍ଦ ଓ ମାତା କିରଣବାଳା। ସରକାରୀ ଚାକିରି କରି ସେ ଅବସର ଗ୍ରହଣ କରିଥିଲେ। କିନ୍ତୁ ତାଙ୍କର ଅବସର ଜୀବନ ଥିଲା ପୂର୍ଣ୍ଣତଃ ଅନୁବାଦଶୀଳ।

ବିମଳ ମିତ୍ରଙ୍କ ସୁପ୍ରସିଦ୍ଧ ଉପନ୍ୟାସ ‘ଆସାମୀ ହାଜିର’ ର ଓଡ଼ିଆ ଅନୁବାଦ ପାଇଁ ୧୯୯୭ରେ ଯୁଗଳବାବୁ ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସେହି ବର୍ଷ ମଧ୍ୟ ବଙ୍ଗଳା ଉପନ୍ୟାସ ‘ଜନ ଗଣ ମନ’ ପାଇଁ ସେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ଗୋଟିଏ ବର୍ଷରେ ଓ ଗୋଟିଏ ବିଭାଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ଏକାଡେମୀ ପୁରସ୍କାର ପାଇବାରେ ସେ ଥିଲେ ଏକ ଓ ଅଦ୍ୱିତୀୟ।

ଯୁଗଳ କିଶୋର ଦତ୍ତଙ୍କୁ ଓଡ଼ିଶାଲାଇଭ ତରଫରୁ ବିନମ୍ର ଶ୍ରଦ୍ଧାଞ୍ଜଳି

Comment