ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଶାସକ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୨୭ ତାରିଖରେ ଏହା ଆରମ୍ଭ ହୋଇଥିଲା। ରବିବାର ଦିନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନବୀନଙ୍କ ବ୍ୟତୀତ ୮୧ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ ହୋଇଛି। ବିଜେଡି କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବଙ୍କ ନିକଟରେ ସବୁ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଦଳର ସଭାପତି ପଦ ପାଇଁ କେବଳ ନବୀନ ହିଁ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେ ହିଁ ସଭାପତି ହେବେ ଏହା ସ୍ପଷ୍ଟ। ଏଥରକୁ ମିଶାଇ ନବୀନ ଅଷ୍ଟମ ଥର ପାଇଁ ଅଧ୍ୟକ୍ଷ ହେବେ। ନବୀନଙ୍କ ସଭାପତି ହେବା ଏକ ଔପଚାରିକତା ମାତ୍ର ଏହା ଆଗରୁ ଜଣାଥିଲା।

ବିଜେଡିର ଦଳୀୟ ନିର୍ବାଚନ ପାଞ୍ଚଟି ପର୍ଯ୍ୟାୟରେ ହୋଇଥାଏ। ପ୍ରଥମ ତିନି ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତ ଓ ପୌର ପରିଷଦ ସଭ୍ୟ ନିର୍ବାଚନ ହୋଇଥିଲା। ବ୍ଲକ କମିଟି ଓ ସଭାପତି ନିର୍ବାଚନ ପରେ ୨୧ ତାରିଖରେ ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଥିଲା। ଜିଲ୍ଲା ସଭାପତି ନିଯୁକ୍ତିରେ ୧୪ ପୁରୁଣା ଥିବା ବେଳେ ୧୯ ନୂଆ ମୁହଁକୁ ଦେଖିବାକୁ ମିଳିଛି।

ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ସଭାପତି ପଦ ପାଇଁ ନବୀନଙ୍କ ପ୍ରାର୍ଥିପତ୍ରରେ ୧୦ ଜଣ ପ୍ରସ୍ତାବକ ଥିଲେ। ଆସନ୍ତା ବୁଧବାର ଦିନ ଆନୁଷ୍ଠାନିକ ଭାବେ ଦଳର ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯିବ।

Comment