ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅହମ୍ମଦବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନ ‘ଏୟାରଫୋର୍ସ ଓ୍ୱାନ’ରେ ପତ୍ନୀ ଓ ଝିଅଙ୍କ ସହ ପହଞ୍ଚିଥିଲେ ଟ୍ରମ୍ପ। ଟ୍ରମ୍ପଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିଥିଲେ ମୋଦୀ।

ଏହାପରେ ମୋଦୀ ଏବଂ ଟ୍ରମ୍ପ ୨୨ କିଲୋମିଟର ରୋଡ୍‌ ସୋ’ରେ ଯାଇଥିଲେ। ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଚରଖାରେ ସୂତା କାଟିଥିଲେ। ପରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ୨୭ ମିନିଟ୍‌ ଧରି ଉଦ୍‌ବୋଧନ ଦେଇଥିଲେ।

ଆମେରିକାର ହୃଦୟରେ ଭାରତ

‘‘ଆମେରିକାବାସୀଙ୍କ ମନରେ ଭାରତୀୟଙ୍କ ପ୍ରତି ଯଥେଷ୍ଟ ଭଲ ପାଇବା ରହିଛି। ୫ ମାସ ତଳେ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଆମେରିକାବାସୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଆଜି ମୋଟେରା ଷ୍ଟାଡିୟମରେ ମୋର ଭବ୍ୟ ସ୍ୱାଗତ ହୋଇଛି। ଏହାକୁ ମୁଁ ଭୁଲି ପାରିବି ନାହିଁ। ମୋଟେରା ଷ୍ଟାଡିୟମରେ ଆପଣମାନଙ୍କୁ ସମ୍ବୋଧିତ କରିବା ମୋ ପାଇଁ ଗର୍ବର ବିଷୟ। ଆମ ହୃଦୟରେ ଭାରତ ପ୍ରତି ସ୍ୱତନ୍ତ୍ର ସ୍ଥାନ ରହିଛି। ଭାରତ ସାରା ବିଶ୍ୱକୁ ମାନବବାଦର ବାର୍ତ୍ତା ଦେଉଛି। ସବୁ ବର୍ଗର ଲୋକଙ୍କ ସ୍ୱପ୍ନ ପୂରଣ ହେଉଛି’’, କହିଥିଲେ ଟ୍ରମ୍ପ।

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭରପୂର ପ୍ରଶଂସା କରିଥିଲେ ଡୋନାଲ୍ଡ ଟ୍ରମ୍ପ।

ଟ୍ରମ୍ପ କହିଥିଲେ, ‘‘ମୋଦୀ ତାଙ୍କ ବାପାଙ୍କ ସହିତ ଚା’ ବିକ୍ରି କରୁଥିଲେ। ଅହମ୍ମଦାବାଦର ଏକ କାରଖାନାରେ ମଧ୍ୟ ମୋଦୀ କାମ କରୁଥିଲେ। ସେଦିନର ମୋଦୀ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟା ନିର୍ବାଚନରେ ବି ନିଜର କମାଲ ଦେଖାଇଛନ୍ତି। ମୋଦୀ କେବଳ ଗୁଜରାଟର ଗର୍ବ ନୁହନ୍ତି, ସେ ସାରା ଭାରତର ଗର୍ବ। ମୋଦୀଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।’’

ଆତଙ୍କବାଦକୁ ନା

ନିଜ ଭାଷଣରେ ଆତଙ୍କବାଦ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତ-ଆମେରିକା ମିଳିତ ଭାବେ କାମ କରିବେ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ପାଇଁ ଆମେରିକା ସବୁବେଳେ ତା’ କବାଟ ବନ୍ଦ କରି ରଖିଛି। ପାକିସ୍ତାନ ଉପରେ ଟିପ୍ପଣୀ ଦେଇ ଟ୍ରମ୍ପ କହିଲେ ଯେ, ପାକିସ୍ତାନ ତା’ ସୀମାରେ ଆତଙ୍କବାଦକୁ ଖତମ୍ କରିବା ପାଇଁ ଉଦ୍ୟମ କରୁ।

ବାଣିଜ୍ୟିକ ସମ୍ପର୍କ ବଢ଼ିବ

ଭାରତ ଓ ଆମେରିକା ଭିତରେ ବାଣିଜ୍ୟିକ ସମ୍ପର୍କ ମଜଭୁତ ହେବ। ବର୍ତ୍ତମାନ ଦୁଇ ଦେଶ ଭିତରେ ୪୦ ପ୍ରତିଶତ ବ୍ୟବସାୟିକ ସମ୍ପର୍କ ବଢ଼ିଛି। ଦୁଇ ଦେଶ ଭିତରେ ସମନ୍ୱୟ ରହିଲେ ଆଗକୁ ଏହି କାରବାର ବଢ଼ି। ଆମେରିକା ପାଇଁ ଭାରତ ହେଉଛି ସବୁଠୁ ବଡ଼ ବଜାର। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଅଧିକ ପଦକ୍ଷେପ ନିଆଯିବ।

ମିଶନ ‘ଚନ୍ଦ୍ରଯାନ’କୁ ସହଯୋଗ କରିବ ଆମେରିକା

ବିଜ୍ଞାନ କ୍ଷେତ୍ରରେ ଭାରତ ଏବଂ ଆମେରିକା କାମ କରୁଛନ୍ତି। ଭାରତ ଏବେ ମିଶନ ଚନ୍ଦ୍ରଯାନରେ ଲାଗିଛି। ଏହାକୁ ସଫଳ କରିବା ପାଇଁ ଆମେରିକା ମଧ୍ୟ ସହଯୋଗର ହାତ ବଢ଼ାଇବ। ବିଜ୍ଞାନ କ୍ଷେତ୍ରକୁ ଆଗକୁ ନେବା ପାଇଁ ଅନ୍ୟ ଦେଶମାନେ ଚିନ୍ତା କରୁଥିବା ବେଳେ ଭାରତ ଏହାକୁ ସାକାର କରିବା ପାଇଁ ଉଦ୍ୟମ କରୁଛି।

ସେହିପରି ବଲିଉଡ୍‌ ଏବଂ କ୍ରିକେଟ ଜଗତକୁ ପ୍ରଶଂସା କରିଥିଲେ ଟ୍ରମ୍ପ। ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ଉଦହାରଣ ଦେଇଥିଲେ ଟ୍ରମ୍ପ। ଭାରତକୁ ଭାଥଚାରା ଏବଂ ସଂସ୍କୃତି ସମ୍ପନ୍ନ ଦେଶ କହି ପ୍ରଶଂସା କରିଥିଲେ ଟ୍ରମ୍ପ।

Comment