ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ଲାଗିଥିବା ସିଏଏ ନିଆଁ ଥମିବାର ନାଁ ଧରୁନି। ଏହା ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହିଂସା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି।

କେଜରିୱାଲଙ୍କ ସହିତ ବୁଧବାର ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ମଧ୍ୟ ହିଂସା ପ୍ରଭାବିତ ଅଞ୍ଚଳକୁ ବୁଲିବାକୁ ଯାଇଛନ୍ତି। ଏହି ଅବସରରେ ସେମାନେ ଦିଲ୍ଲୀବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି।ବର୍ତ୍ତମାନ ଦିଲ୍ଲୀରେ ଲାଗିଥିବା ସିଏଏ ନିଆଁରେ ୨୨ଜଣ ଲୋକ ପ୍ରାଣ ହରାଇସାରିଲେଣି। ଏଥିସହିତ ଶହ ଶହ ଲୋକ ଗୁରୁତର ଅବସ୍ଥାରେ ଏବେ ବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ହିଂସାକାଣ୍ଡରେ ରତନ ଲାଲ୍ ନାମକ ଜଣେ ପୋଲିସ୍ କନଷ୍ଟେବଲ୍ ମଧ୍ୟ ସହିଦ ହୋଇଛନ୍ତି।

ବୁଧବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ମଧ୍ୟ ଦିଲ୍ଲୀ ଯାଇ ସ୍ଥିତି ପରଖିଛନ୍ତି। ସେ ପ୍ରଥମେ ଦିଲ୍ଲୀର ହିଂସା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଏହାପରେ ସେ ନର୍ଥ ବ୍ଲକ୍ ଯାଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ସାକ୍ଷାତ କରିଛନ୍ତି। ସେହିପରି ପ୍ରଧାମନ୍ତ୍ରୀ ମୋଦୀ ମଧ୍ୟ ଦିଲ୍ଲୀବାସୀଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।ସୋମବାରଠାରୁ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ପରସ୍ପର ମଧ୍ୟରେ ପଥରମାଡ଼ ଓ ଗୁଳିମାଡ଼ କରିବା ଭଳି ଘଟଣା ମଧ୍ୟ ସାମନାକୁ ଆସିଛି। ଆନ୍ଦୋଳନକାରୀମାନେ ଅନେକ ଦୋକାନ ଘରକୁ ମଧ୍ୟ ଜାଳିଦେଇଛନ୍ତି।

Comment