ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ସୁଦ୍ଧା କାହିଁକି ରାଜ୍ୟର ଅନେକ ଗରିବ ଲୋକ ଚାଉଳ ପାଇପାରୁନାହାନ୍ତି? ଆବେଦନ କରିବାର ୨୪ ଘଣ୍ଟା ମଧ୍ୟରେ ରାସନ କାର୍ଡ ମିଳିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତା କ’ଣ ଠିକ ଭାବେ କାର୍ଯ୍ୟକାରୀ ହେଉଛି?

ବିଧାନସଭାରେ ବିରୋଧୀମାନଙ୍କ ଏଭଳି ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବୁଧବାର ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରାସନ୍ କାର୍ଡ ଆବଣ୍ଟନକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ଏହି ଅପାରଗ ସରକାର ଏଯାଏଁ ସବୁ ଗରିବ ଲୋକଙ୍କୁ ଚାଉଳ ଯୋଗାଇପାରିନି। ଜଣେ ହିତାଧିକାରୀ ଆବେଦନ କରିବାର ୨୪ ଘଣ୍ଟା ଭିତରେ ତାଙ୍କୁ ରାସନ କାର୍ଡ ମିଳିବ ବୋଲି ସରକାର  ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏହି ନିୟମ କ’ଣ ଠିକ୍ ଭାବେ ପାଳନ ହେଉଛି ବୋଲି ସେ ପ୍ରଶ୍ନ କରିଥିଲେ।ସେହିପରି ବିଜେପି ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ। ରାଜ୍ୟ ସରକାର ଦଳୀୟ ଭିତ୍ତିରେ ରାସନ କାର୍ଡ ବାଣ୍ଟୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରକୃତ ଗରିବ ଲୋକମାନେ ରାସନ କାର୍ଡ ପାଇପାରୁ ନଥିବାବେଳେ ଅଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ, ରାସନ କାର୍ଡ ଦେବା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟା ଚଲେଇଛନ୍ତି। ମୋଟ୍ ୨୫ ଲକ୍ଷ ଲୋକଙ୍କୁ ରାସନ କାର୍ଡ ଦେବାକୁ ଲକ୍ଷ୍ୟ ରଖାଯାଇଛି, ଏପର୍ଯ୍ୟନ୍ତ ୩ ଲକ୍ଷ ଲୋକଙ୍କୁ ରାସନ କାର୍ଡ ଯୋଗାଇଦିଆଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ। ଏଥିସହିତ ଏବେ ପୁଣିଥରେ ୭ ଲକ୍ଷ ଲୋକ ଏଥିପାଇଁ ଆବେଦନ କରିଛନ୍ତି। ସେମାନଙ୍କ ଭିତରୁ ଯୋଗ୍ୟ ଲୋକଙ୍କୁ ବଛାଯାଇ କାର୍ଡ ବଣ୍ଟାଯିବ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

 

Comment