ଓଡ଼ିଶାଲାଇଭ୍ ବ୍ୟୁରୋ
ନାଗରିକତା ସଂଶୋଧନ ଆଇନକୁ ନେଇ ଗତ ତିନି ଦିନ ହେଲା ଦିଲ୍ଲୀ ଜଳୁଛି। ସପକ୍ଷବାଦୀ ଏବଂ ବିପକ୍ଷବାଦୀ ଗୋଷ୍ଠୀଙ୍କ ଭିତରେ ମୁହାଁମୁହିଁ ଏବଂ ଢେଲାମାଡ଼ ହେବାରୁ ୩୫ ଜଣଙ୍କର ପ୍ରାଣହାନି ଘଟିଛି। ୩୫ ଜଣଙ୍କ ମୃତ୍ୟୁ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ୟାକେଜ ଘୋଷଣା କରିବା ସହ ଆପ୍ ନେତାଙ୍କ ଚିନ୍ତା ବଢ଼ାଇଛନ୍ତି। ଏହି ହିଂସାକାଣ୍ଡରେ ଯଦି କୌଣସି ଆପ୍ ନେତାଙ୍କ ସଂପୃକ୍ତି ଅଭିଯୋଗ ଆସେ ତାହାଲେ ସେମାନଙ୍କ ବିରୋଧରେ ଦୁଇ ଗୁଣା ଅଧିକ କାର୍ଯ୍ୟାନୁଷ୍ଠାନ ନିଆଯିବ।
‘‘ଦିଲ୍ଲୀ ହିଂସାକାଣ୍ଡରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଆମ୍ ଆଦ୍ମୀ ପାର୍ଟିର କୌଣସି ନେତା ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାଲେ ସେମାନଙ୍କ ବିରୋଧରେ ଦୁଇ ଗୁଣା ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’, କହିଛନ୍ତି ଅରବିନ୍ଦ କେଜରିୱାଲ।
କେଜରିୱାଲ ଆହୁରି କହିଥିଲେ ଯେ, ପୋଲିସ ଆମ ହାତରେ ନାହିଁ। ଯଦି ଆମ ହାତରେ ପୋଲିସ ପ୍ରଶାସନ ଥାନ୍ତା ତାହାଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା। ଯେଉଁମାନେ ହିଂସାକାଣ୍ଡକୁ ଉସ୍କାଉଥିଲେ ସେମାନେ ବର୍ତ୍ତି ପାରିବେ ନାହିଁ। ସେମାନେ ଯେ କୌଣସି ରାଜନୀତିକ ଦଳର ହେଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

















