ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୃତକଙ୍କ ପରିବାରକୁ ମିଳିବ ୧୦ଲକ୍ଷ ଟଙ୍କା
  • ନାବାଳକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା
  • ଆହତମାନଙ୍କୁ ମିଳିବ ୨୦ ହଜାର
  • ଘର ଓ ଦୋକାନ ପାଇଁ ମିଳିବ ୫ ଲକ୍ଷ ଟଙ୍କା
  • ରିକ୍ସା ପୋଡ଼ିଥିଲେ ମିଳିବ ୨୫ ହଜାର

ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ଗୁରୁବାର ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ କେଜରିୱାଲ୍ ଘୋଷଣା କରିଛନ୍ତି।

ଏଥିସହିତ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ନାବାଳକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଏବଂ ଆହତ ଥିବା ଲୋକମାନଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି କେଜରିୱାଲ ଘୋଷଣା କରିଛନ୍ତି।ଦିଲ୍ଲୀ ହିଂସାକାଣ୍ଡ ସମୟରେ ଯେଉଁ ଲୋକମାନଙ୍କର ରିକ୍ସା ଜଳାପୋଡ଼ା କିମ୍ବା ଭାଙ୍ଗିଯାଇଛି ସେମାନଙ୍କୁ କ୍ଷତିପୂରଣ ବାବଦରେ ୨୫ ହଜାର ଟଙ୍କା ଓ ଇ-ରିକ୍ସା ପାଇଁ ୫୦ହଜାର ଟଙ୍କା ଦିଆଯିବ। ଯେଉଁମାନଙ୍କ ଘର ଓ ଦୋକାନ ଜଳାପୋଡ଼ା ହୋଇଛି ସେମାନଙ୍କୁ ଦିଲ୍ଲୀ ସରକାର ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ବୋଲି ଅରବିନ୍ଦ କେଜରିୱାଲ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଫେବ୍ରୁଆରି ୨୪ ତାରିଖରେ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏହି ହିଂସାକାଣ୍ଡରେ ବିକ୍ଷୋଭକାରୀମାନେ ପରସ୍ପର ମଧ୍ୟରେ ପଥରମାଡ଼ କରିବା ସହିତ ଗୁଳି ଚଳାଇଥିଲେ। ଏଥିସହିତ ସେମାନେ ଦିଲ୍ଲୀର ବିଭିନ୍ନ ଦୋକାନ, ଗାଡ଼ି, ସୋ’ ରୁମକୁ ମଧ୍ୟ ପୋଡ଼ି ଦେଇଥିଲେ। ଯେଉଁଥିରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ଗୁରୁବାର ସେହି ପ୍ରଭାବିତଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି।

Comment