ଓଡ଼ିଶାଲାଇଭ୍ ବ୍ୟୁରୋ

ଜନତା ମଇଦାନରେ ସିଏଏ ସପକ୍ଷରେ ଉଦବୋଧନ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ମାଳ ମାଳ ବିଜେପି ପତାକା ସାଙ୍ଗକୁ ନେତାଙ୍କ ବଡ଼ ବଡ଼ ପୋଷ୍ଟରରେ ଝଲସୁଥିଲା ଭୁବନେଶ୍ୱର ଜନତା ମଇଦାନ। ଏଥିସହିତ ପଡ଼ିଆ ଭିତରେ ଯୁଆଡ଼େ ଦେଖିବ ସିଆଡ଼େ କେବଳ ଶୁଭୁଥିଲା ଅମିତ ଶାହ ଜିନ୍ଦାବାଦ୍ ଓ ମୋଦୀଜୀ ଜିନ୍ଦାବାଦ୍। ଏଭଳି ଏକ ପରିବେଶ ମଧ୍ୟରେ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ସିଏଏ ସପକ୍ଷରେ ନିଜର ଭାଷଣ ରଖିଛନ୍ତି।ଅମିତ ଶାହଙ୍କ ଓଡ଼ିଶା ଗସ୍ତର ପ୍ରଥମ ଦିନର ଅପରାହଣରେ ସେ ଜନତା ମଇଦାନରେ ସିଏଏ ସପକ୍ଷରେ ନିଜର ଉଦବୋଧନ୍ ରଖିଥିଲେ। ସିଏଏ ଦ୍ୱାରା କୌଣସି ଭାରତୀୟଙ୍କ ନାଗରିକତା ଯିବନି କେବଳ ଏହାଦ୍ୱାରା ଅନ୍ୟ ଦେଶରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ଲୋକଙ୍କୁ ନାଗରିକତା ମିଳିବ ବୋଲି ସେ ତାଙ୍କର ଭାଷଣରେ କହିଥିଲେ।

ସିଏଏ କେବଳ ନାଗରିକତା ଦେବ

ଶାହ ତାଙ୍କର ଭାଷଣରେ ସିଏଏକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିଥିଲେ। ସିଏଏ ଦ୍ୱାରା କୌଣସି ବି ଭାରତୀୟ ନାଗରିକ ପ୍ରଭାବିତ ହେବେନି ବୋଲି ସେ ତାଙ୍କର ଭାଷଣରେ କହିଛନ୍ତି।ଏଥିସହିତ ସେ କହିଥିଲେ, “ଯେଉଁ ଅଣ-ମୁସଲିମ୍ ଲୋକମାନେ ବାଂଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସିଛନ୍ତି, ସିଏଏ ସେମାନଙ୍କୁ ନାଗରିକତା ପ୍ରଦାନ କରିବ। ମହାତ୍ମାଗାନ୍ଧୀ, ମୌଲାନା ଆଜାଦ୍, ଜବାହାରଲାଲ୍ ନେହେରୁ ଯେଉଁ କଥା କହିଥିଲେ ମୋଦୀ ସେହି କଥାକୁ କାମରେ କରିଛନ୍ତି।”

ପୁରୁଣା ଇତିହାସକୁ ଭାଙ୍ଗିଲେ ମୋଦୀଜୀ

“ମୋଦୀଜୀ ନିଜର ଦ୍ୱିତୀୟ ସରକାରରେ ଅନେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳିକି ବର୍ଷ ବର୍ଷ ଧରି ପଡ଼ିରହିଥିବା ଅନେକ ବିବାଦକୁ ମଧ୍ୟ ସେ ସମାଧାନ କରିପାରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ତିନ୍ ତଲାକ୍ ବିଲ୍ ଆଦି ଆଇନ୍ ଆଣି ମୋଦୀ ପୁରୁଣା ଇତିହାସକୁ ଭାଙ୍ଗି ଦେଇଛନ୍ତି”, କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ଖୁବଶୀଘ୍ର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର

ସିଏଏ ସପକ୍ଷରେ ଭାଷଣ ଦେବା ସମୟରେ ଶାହ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ କଥା ବି ଉଠାଇଥିଲେ। ଖୁବଶୀଘ୍ର ଅଯୋଧ୍ୟାରେ ନଭଶ୍ଚୁମ୍ଭୀ ରାମ ମନ୍ଦିର ନିର୍ମାଣ ହେବ। ଲୋକମାନଙ୍କର ପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀଜୀ ଏଥିପାଇଁ ସଂସଦରେ ରାମଜନ୍ମଭୂମି ତୀର୍ଥକ୍ଷେତ୍ରର ଘୋଷଣା କରିସାରିଛନ୍ତି ବୋଲି ଅମିତ ଶାହ ନିଜର ଭାଷଣରେ କହିଥିଲେ। ଏଥିସହିତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବିଜେପିର ସ୍ୱପ୍ନ ବୋଲି ସେ କହିଛନ୍ତି।ଓଡ଼ିଶାରେ ବିଜେପି ବଢୁଛି

ଓଡ଼ିଶାରେ ପୂର୍ବ ଅପେକ୍ଷା ବିଜେପି ଏବେ ବହୁତ ଆଗକୁ ବଢିଛି। ଦଳର ସଂଗଠନ ବୁଥ୍ ସ୍ତରରେ ଆହୁରି ମଜଭୁତ୍ ହୋଇଛି। ରାଜ୍ୟର ୩୭ ହଜାର ବୁଥ୍ ରହିଥିବାବେଳେ ଗତ ନିର୍ବାଚନରେ ୧୪ ହଜାର ବୁଥରେ ବିଜେପି ଭଲ ପ୍ରଦର୍ଶନ କରିଛି। ଏଥିସହିତ ନିର୍ବାଚନରେ ୯୫ଟି ବୁଥରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଥିଲା ବୋଲି ସେ କହିଥିଲେ। ଏଥିପାଇଁ ଦଳର ସମସ୍ତ କର୍ମକର୍ତ୍ତା, ସଙ୍ଗଠନକୁ ସେ ଧନ୍ୟବାଦ୍ ଜଣାଇଥିଲେ।

୨୦୧୯ ନିର୍ବାଚନରେ ନିର୍ବାଚନରେ ବିଜେପିକୁ ୯୧ ଲକ୍ଷ ଭୋଟ୍ ମିଳିଥିବାବେଳେ ବିଜେଡିକୁ ୧.୧ କୋଟି ଭୋଟ୍ ମିଳିଥିଲା। ବିଧାନସଭାରେ କଂଗ୍ରେସକୁ ହଟେଇ ଦଳ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳର ମଧ୍ୟ ମାନ୍ୟତା ହାସଲ କରି ଆଉ ପାଦେ ଆଗକୁ ବଢ଼ିଛି ବୋଲି ସେ ନିଜର ଅଭିଭାଷଣରେ କହିଥିଲେ।

କଂଗ୍ରେସର ୫୫ ବର୍ଷ, ଆମର ୫ ବର୍ଷ

ଶାହ ଏହି ଅବସରରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ବିଗତ ୫୫ ବର୍ଷ ମଧ୍ୟରେ କଂଗ୍ରେସ ଯାହା କରି ଦେଖେଇ ପାରିନଥିଲା। ଗତ ୫ ବର୍ଷ ଭିତରେ ବିଜେପି ତାହା କରି ଦେଖେଇଛି। ସେହିପରି କଂଗ୍ରେସ ଅମଳରେ ମଧ୍ୟ ଓଡ଼ିଶା କିଭଳି କମ୍ ଅନୁଦାନ ପାଉଥିଲା ସେ କଥା ମଧ୍ୟ ଶାହ ନିଜର ଅଭିଭାଷଣରେ କହିଛନ୍ତି।ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଓଡ଼ିଶାକୁ ମାତ୍ର ୭୯ ହଜାର କୋଟିର ଆର୍ଥିକ ଅନୁଦାନ ମିଳିଥିଲା। ହେଲେ ମୋଦୀଙ୍କ ପ୍ରଧାନମନ୍ତ୍ରୀ ଥିବା ସମୟରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କାର ଅନୁଦାନ ମିଳିଛି। ଏଥିସହିତ ଅନ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଶା ୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇଛି ବୋଲି ଅମିତ ଶାହ ନିଜର ଅଭିଭାଷଣରେ କହିଥିଲେ।

ଧନ୍ୟବାଦ ଓଡ଼ିଶାବାସୀ

ବିଧାନସଭାରେ ବିଜେପିକୁ ୨୩ ଜଣ ବିଧାୟକ ଓ ଲୋକସଭାରେ ବିଜେପିକୁ ୮ ଜଣ ସାଂସଦ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଶାବାସୀମାନେ ମୋଦୀଙ୍କର ହାତ ମଜଭୁତ୍ କରାଇପାରିଛନ୍ତି। ସଂସଦରେ ମୋଦୀ ଆଜି ଯେଉଁ ସ୍ଥିର ସରକାର ଗଠନ କରିଛନ୍ତି ସେଥିପାଇଁ ଓଡ଼ିଶାବାସୀଙ୍କ ଅବଦାନ ରହିଛି ବୋଲି କହି ସେ ଓଡ଼ିଶାବାସୀଙ୍କୁ ନିଜର ଧନ୍ୟବାଦ ଜଣାଇଛନ୍ତି।

Comment