ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନବୀନ ନିବାସର ଲଞ୍ଚ୍‌ ଟେବୁଲ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚା।

ପୂର୍ବରୁ ସ୍ଥିର ହୋଇଥିବା ପୂର୍ବାଞ୍ଚଳ ପରିଷଦ ବୈଠକ ଶୁକ୍ରବାର ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେବାକୁ ପଶ୍ଚିମବଙ୍ଗ ମୁଖୀମନ୍ତ୍ରୀ ମମତା ବାନାର୍ଜୀ ଆସିଥିଲେ। ତାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବି ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାଡଖଣ୍ଡ ଅର୍ଥମନ୍ତ୍ରୀ ବି ଏଥିରେ ଥିଲେ।

ମଜା କଥା ହେଉଛି ଅପରାହ୍‌ଣ ବେଳକୁ ମମତାଙ୍କ ରାଇତା କଥା ହିଁ ମିଡିଆରେ ଭାଇରାଲ ହୋଇଥିଲା ଓ ଅନ୍ୟ ସବୁ ବିଷୟ ପଛକୁ ଠେଲି ହୋଇଯାଇଥିଲା।

ନବୀନ ନିବାସ ଏବେ ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ନେତାଙ୍କ ପାଇଁ ଭୋଜନାଳୟ ପାଲଟିଛି। ଅବଶ୍ୟ ଏହା ବିଜୁ ପଟ୍ଟନାୟକଙ୍କ ଠାରୁ ଗଡି ଆସିଛି। ସ୍ୱାଭାବିକ ଭାବରେ ଆଜି ବି ପରସ୍ପର ବିରୋଧୀ ନେତାମାନେ ଖାଇବା ଟେବୁଲରେ ଏକତ୍ରିତ ହୋଇଥିଲେ, ଯାହା ଚିତ୍ରରେ ଦେଖିବାକୁ ମିଳିଛି। କଂସା ବାସନରେ ନେତାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

ମମତା ବାନାର୍ଜୀ କିଛି ଖାଇନଥିଲେ, କେବଳ ରାଇତା ଖାଇଥିଲେ। ରାଇତା ମାନେ ଖଟା ଦହି ସାଲାଡ଼। ମମତା ସାମ୍ବାଦିକଙ୍କୁ କହିଥିଲେ, ‘‘ମୁଁ ଲଞ୍ଚ ଖାଏନି। ଅମିତ ଶାହ ଓ ନବୀନଙ୍କ ସମ୍ମାନାର୍ଥେ କେବଳ ଅଇଁଠା ହେଲି।’’ ମମତା କଥାବର୍ତ୍ତାରେ ଟିକେ ବେଶୀ ଚତୁରୀ!

ମମତା ସିନା ନବୀନ ନିବାସରେ ଖଟା ରାଇତା ଖାଇଲେ, ଲୋକସେବା ଭବନରେ ଯେଉଁ ବୈଠକ ହେଲା ସେଠି ଖାଲି ମିଠା ହିଁ ମିଠା। ଯେଉଁ ସମୟରେ ବୈଠକ ହେଉଛି ତାର ସମୟଟିକୁ ଦେଖନ୍ତୁ। ଦିଲ୍ଲୀରେ ସିଏଏକୁ ନେଇ ନିଆଁ ଲାଗଥିବା ବେଳେ ମମତା, ନୀତିଶ ଓ ଅମିତଙ୍କ ଭଳି ବଡ଼ ବଡ଼ ନେତା ସାମ୍ନାସାମ୍ନି ହେବା ଓ ସେ ବିଷୟ ଆଦୌ ନଉଠାଇବା କିଛି କମ କଥା ନୁହେଁ। ନା ଏନଆରସି କଥା ଉଠିଥିଲା ନା ସିଏଏ କଥା। ଦେଶର ରାଜଧାନୀରେ ଯେଉଁ ବିଭାଜନ ରାଜନୀତିର ଖେଳ ଚାଲିଛି ସେ ସମ୍ପର୍କରେ ସମସ୍ତେ ଏକ ରକମ  ପାଟି ବନ୍ଦ କରିଥିଲେ। ବରଂ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ କେମିତି ନିଜ ନିଜ ଭିତରେ ସମ୍ପର୍କକୁ ଦୃଢ଼ କରିବେ ସେ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ଦୁଇଟି କଥା ପ୍ରାଞ୍ଜଳ ଭାବେ ସାମ୍ନାକୁ ଆସିଥିଲା – ସମନ୍ୱିତ ସଂଘୀୟ ବ୍ୟବସ୍ଥା ଓ କେନ୍ଦ୍ରର ବାକି ପଇସା ପୈଠ।

ବୈଠକ ପରେ ଖୁସିବାସିଆ ମମତା ବାହାରକୁ ଆସିବା ପରେ ସାମ୍ବାଦିକମାନେ ଯିଏ ଯାହା ପଚାରିଥିଲେ ତାର ଉତ୍ତର ଦେଇଥିଲେ। ଯୋଉ ବିଷୟକୁ ନେଇ ଅମିତ ଶାହ ଓ ମମତା ବାନର୍ଜୀ ତୁ ତୁ ମେ ମେ ହେଉଥିଲେ, ଏଠି କାହିଁକି ତାହା ହେଲାନି ବୋଲି ପଚାରିବାରୁ ମମତା କହିଲେ ସେକଥା ଉଠିବାର ଅବକାଶ ନଥିଲା। ବରଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ବିଭିନ୍ନ ବାବଦରେ ଯେତିକି କ୍ଷତି ପୂରଣ ଦିଆଯିବା କଥା ତାହା ଶୀଘ୍ର ଦିଆଯାଉ ବୋଲି ମମତା ଗୃହମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା କଥା କହିଥିଲେ।

ତେବେ ଦିଲ୍ଲୀରେ ଯେଉଁ ଦଙ୍ଗା ହେଲା ଓ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେନେଇ ମମତା ପରୋକ୍ଷ ଭାବେ କଂଗ୍ରେସକୁ ବରଂ କଟାକ୍ଷ କରିଥିଲେ। ମନେ ପକାଇ ଦିଆଯାଇପାରେ ଯେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି  ଦିଲ୍ଲୀ ଦଙ୍ଗା ପାଇଁ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏମିତି ତ କଂଗ୍ରେସ ଓ ତୃଣମୂଳ କଂଗ୍ରେସର ସମ୍ପର୍କ ଅହି-ନକୁଳ ଭଳି।

ଓଡ଼ିଆରେ ଯେଉଁ କଥାଟି ରହିଛି ‘ମଇଁଷି ସିଙ୍ଘ ଫଟା ଯୁଝିଲା ବେଳକୁ ଗୋଟା’, ଆଜି ଠିକ ସେହି କଥା ହିଁ ଲକ୍ଷ୍ୟ କରାଯାଇଥିଲା। ଏଥିରୁ ଆମେ କଣ ବୁଝିବା? ଆଗାମୀ ଦିନରେ ଦେଶର ସଂଘୀୟ ବ୍ୟବସ୍ଥାର ସୁଦୃଢୀକରଣ ଓ ପାରସ୍ପରିକ ଭେଦଭାବର ବିଲୟ?

Comment