ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୪୯୪ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
  • ୧୦୩୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ
  • ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଅନ୍ୟ ଯୋଜନା ଅର୍ଥରେ ବିକାଶମୂଳକ କାର୍ଯ୍ୟକ୍ରମ
  • ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଗ୍ରାମ୍ୟ ବିଦ୍ୟୁତ୍‌କରଣ ଓ ଭିତ୍ତିଭୂମି ବିକାଶ ଉପରେ ଫୋକସ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସୁନ୍ଦରଗଡ଼ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଜିଲ୍ଲାବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି।

ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଗ୍ରାମ୍ୟ ବିଦ୍ୟୁତ୍‌କରଣ ସହ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ଲାଗି ପ୍ରସ୍ତୁତ ୪୧ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାର ମୂଲ୍ୟ ୪୯୪.୪୩ କୋଟି ଟଙ୍କା। ସେହିପରି ୧୦୩୨.୧୫ କୋଟି ଟଙ୍କାର ୧୦୨ଟି ନୂଆ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ୍) ଏବଂ ଅନ୍ୟ ଯୋଜନାର ଅର୍ଥରେ ସରକାର ଏହିସବୁ ଜନମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଅର୍ବାନ୍) ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ସହ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜାଗା ଏବଂ ଜଙ୍ଗଲ ଅଧିକାର ଆଇନରେ ହିତାଧିକାରୀମାନଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ଆସିଥିବା ୩୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ୧୫ଟି ମହାପ୍ରୟାଣ ଗାଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ। ଏହି ଅବସରରେ ସେ ସୁନ୍ଦରଗଡ଼ ଜିଲ୍ଲା ସେଂଟ୍ରାଲ୍ କୋଅପରେଟିଭ୍ ବ୍ୟାଙ୍କର ମୋବାଇଲ୍ ଆପ୍‌ର ମଧ୍ୟ ଉନ୍ମୋଚନ କରିଥିଲେ।

ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଏସ୍‌ଡିସି କପ୍ ୨୦୨୦ ଫୁଟ୍‌ବଲ୍ ଚାମ୍ପିଅନସିପ୍‌ରେ ଫାଇନାଲ୍‌ରେ ପ୍ରବେଶ କରିଥିବା ସୁନ୍ଦରଗଡ଼ ପୁରୁଷ ଦଳକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।

ଏହାପରେ ସୁନ୍ଦରଗଡ଼ ଭବାନୀ ଭବନ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ସୁନ୍ଦରଗଡ଼ର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଜି ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଜିଲ୍ଲାବାସୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ସୁନ୍ଦରଗଡ଼ ମେଡିକାଲ୍ କଲେଜ ଖୁବ୍ ଶୀଘ୍ର ଆରମ୍ଭ ହେବ।’’

ଓଡ଼ିଶାର ବିକାଶ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଉରକେଲାର ଭୂମିକାକୁ ସେ ପ୍ରଶଂସା କରିଥିଲେ।

Comment