ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡ଼ାସ୍ଥିତ ଆଦର୍ଶ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବୈପାରୀଗୁଡ଼ା ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ରହି ପଢୁଥିବା ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରୀ ଜଣକ ହେଉଛନ୍ତି ବିଳାସିନୀ ଚାରିକି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି।

ଗୁରୁବାର ହଷ୍ଟେଲରେ ଖାଇବା ସମୟରେ ବିଳାସିନୀ ଅନୁପସ୍ଥିତ ଥିବାରୁ ତାଙ୍କୁ ଡାକିବାକୁ ଜଣେ ଛାତ୍ରୀ ଯାଇଥିଲେ। କିନ୍ତୁ କବାଟ ଭିତରପଟୁ ବନ୍ଦ ଥିବାରୁ ଝରକା ପଟେ ଝୁଲନ୍ତା ମୃତଦେହ ଦେଖି ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ଅଧ୍ୟକ୍ଷ ପୋଲିସକୁ ଏହି ଘଟଣାର  ଖବର ଦେଇଥିଲେ।

ଛାତ୍ରୀ ଜଣକ ହେଉଛନ୍ତି ରାମଗିରି ଗ୍ରାମର ଭିଙ୍ଗୁ ଚାରିକିଙ୍କ ଝିଅ ବିଳାସିନୀ ଚାରିକି। ବିଳାସିନୀ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପଢୁଥିଲେ। ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। ହେଲେ ଘଟଣା ସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି, ଯେଉଁଥିରେ ହଷ୍ଟେଲ ସୁପରିଟେଣ୍ଡ ତଥା ଶିକ୍ଷୟିତ୍ରୀ ସୁଜେତା ନାୟକ ବିଳାସିନୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଜଣାପଡିଛି।

ଘଟଣା ସ୍ଥଳରେ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତରେ ଝୁଲନ୍ତା ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି। ବ୍ଲକ ଅଧକ୍ଷା ସରୋଜିନୀ କାଣ୍ଡିକି, ବିଇଓ ସୁଧୀର ଚନ୍ଦ୍ର ରଥ, ସ୍ଥାନୀୟ ସରପଞ୍ଚ ଅଭି ନାୟକ, ବୈପାରୀଗୁଡ଼ା ସରପଞ୍ଚ ଭାଗିରଥି ମୁରଜିଆ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।  ବିଳାସିନୀଙ୍କ ଭାଇ ଡମ୍ବରୁଧର ଚାରିକି ବୈପାରୀଗୁଡ଼ା ଥାନାରେ ଶିକ୍ଷୟିତ୍ରୀ ସୁଜେତା ନାୟକଙ୍କ ବିରୋଧରେ ଏକ ଏତଲା ଦେଇଥିବା ଜଣାପଡ଼ିଛି।

Comment