ଓଡ଼ିଶାଲାଇଭ୍‌ ବ୍ୟୁରୋ

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ବୁଡ଼ିବନି। ଏହାକୁ ଖୁବ୍‌ଶୀଘ୍ର ଫେରାଇ ଅଣାଯିବ ବୋଲି ଆଇମନ୍ତ୍ରୀ ପ୍ରତାପ ଜେନା ମନ୍ତବ୍ୟ ଦେବା ପରେ ବି ବିରୋଧ ଥମୁନି। କିଏ କେଉଁ ଉଦ୍ଦେଶ୍ୟ ରଖି ୟେସ୍‌ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିରର ଏତେଗୁଡ଼ାଏ ଟଙ୍କା ରଖିଲା ତାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସ ନେତା ସୁରେଶ ରାଉତରାୟ ଏନେଇ ସରକାରଙ୍କୁ ଘେରିଛନ୍ତି। ୟେସ୍‌ ବ୍ୟାଙ୍କରୁ ମାସେ ଭିତରେ ଟଙ୍କା ନଆସିଲେ କଂଗ୍ରେସ ଆନ୍ଦୋଳନ କରିବ ସୁର କହିଥିବା ବେଳେ ବିଜୟ କହିଛନ୍ତି ଯିଏ ଟଙ୍କା ରଖିଛି ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ।

ବିଜୟ କହିଛନ୍ତି, ‘‘ଧାରା ୪ ଏବଂ ଉପଧାରା ୬ ଅନୁସାରେ ହୁଣ୍ଡି ଟଙ୍କା କେବଳ ଜାତୀୟକରଣ ବ୍ୟାଙ୍କରେ ରହି ପାରିବ। ଫାଉଣ୍ଡେସନ ଟଙ୍କା ସରକାରଙ୍କ ଅନୁମତି ଅନୁସାରେ ଯେ କୌଣସି ବ୍ୟାଙ୍କରେ ରଖାଯାଇ ପାରିବ। ଟେମ୍ପଲ ଫଣ୍ଡର ୨୭୧ କୋଟି ୬୧ ଲକ୍ଷ, ଟେମ୍ପଲ କର୍ପସ ଫଣ୍ଡର ୨୫୫ କୋଟି ୮୬ ଲକ୍ଷ, ଫାଉଣ୍ଡେସନ ଫଣ୍ଡର ୯୮ କୋଟି ୯୬ ଲକ୍ଷ ଟଙ୍କା ୟେସ୍‌ ବ୍ୟାଙ୍କରେ ରଖାଯାଇଛି। ଏହି ଆଇନ ଯିଏ ଉଲ୍ଲଂଘନ କରିଛି ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ।’’

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘‘ମନ୍ତ୍ରୀ କହିଛନ୍ତି ୟେସ୍‌ ବ୍ୟାଙ୍କରୁ ଶ୍ରୀମନ୍ଦିର ଟଙ୍କା ଫେରି ଆସିବ। ମାସେ ଭିତରେ ନଫେରିଲେ ଆନ୍ଦୋଳନ ଜୋରଦାର ହେବ।’’

ଶ୍ରୀମନ୍ଦିର ପ୍ରଶାସନ କାହିଁକି ଘରୋଇ ବ୍ୟାଙ୍କରେ ଟଙ୍କା ରଖିଲା ତାକୁ ନେଇ ଭିଜିଲାନ୍ସ ପାଖରେ ଫେରାଦ ହୋଇଛି ଜଗନ୍ନାଥ ସେନା। ଏହା ପଛରେ କ’ଣ ଉଦ୍ଦେଶ୍ୟ ଅଛି ତାର ଖୁଲାସା ଦାବି କରିଛନ୍ତି ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ଏପଟେ ଟଙ୍କା ଫେରାଇ ଆଣିବା ଦାବିରେ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି।

Comment