ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗ କରୁଥିଲେ। ଆଜି ସକାଳେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଏସ୍‌ସିବିକୁ ନିଆଯାଇଥିଲା। ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଏସ୍‌ସିବିରୁ ବିପିନଙ୍କ ମରଶରୀରକୁ ହାଇକୋର୍ଟ ବାର୍ ଆସୋସିଏସନ୍‌କୁ ନିଆଯାଇଥିଲା। ସେଠାରେ ହାଇକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତି, ସମ୍ପାଦକ ସଞ୍ଜୟ ଦାସ ଏବଂ ବହୁ ଆଇନଜୀବୀ ତାଙ୍କ ମରଶରୀରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେଠାରୁ ତାଙ୍କ ମରଶରୀରକୁ ହାଇକୋର୍ଟ ପରିସରକୁ ନିଆଯାଇଥିଲା ବେଳେ ସେଠାରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ଏବଂ ହାଇକୋର୍ଟର ସମସ୍ତ ବିଚାରପତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହାପରେ ଏକ ବିରାଟ ପଟୁଆରରେ ତାଙ୍କ ମରଶରୀର ବାହାରି କଟକ କ୍ରିମିନାଲ୍ କୋର୍ଟ ବାର୍‌, କଟକ ସିଭିଲ୍ ବାର୍‌, ବୋର୍ଡ ଅଫ ରେଭିନ୍ୟୁ ବାର୍ ପରିକ୍ରମା କରିଥିଲା। ସେଠାରୁ ପୁରୀ ସ୍ୱର୍ଗଦ୍ଵାର ଅଭିମୁଖେ ତାଙ୍କୁ ନିଆଯାଉଥିଲା ବେଳେ ବାଟରେ ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ଆଇନଜୀବୀମାନେ ତାଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜ୍ୟ ମାନବାଧିକାର କମିସନ୍ ଅଧ୍ୟକ୍ଷ ଜଷ୍ଟିସ୍ ବି.ପି. ଦାସ, ସଦସ୍ୟ ଅସୀମ ଅମିତାଭ ଦାଶ ମଧ୍ୟ ତାଙ୍କ ଶେଷ ଦର୍ଶନ କରିଥିଲେ।

ପିପିଲିଠାରେ ପିପିଲି ବାର୍ ଆସୋସିଏସନ୍ ପକ୍ଷରୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସେଠାରୁ ସ୍ୱର୍ଗଦ୍ଵାର ଅଭିମୁଖେ ତାଙ୍କ ମରଶରୀରକୁ ନିଆଯାଇଥିଲା। ପୁରୀରେ ପହଞ୍ଚିବା ପରେ ପୁରୀ ବାର୍ ଆସୋସିଏସନ୍‌ର ଆଇନଜୀବୀମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରେ ତାଙ୍କୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ପୁରୀ ଜିଲ୍ଲାପାଳ, ଏସ୍‌ପି ଉପସ୍ଥିତ ଥିଲେ।

ବିପିନ ବିହାରୀ ରଥ ୧୯୩୦ ମସିହା ନଭେମ୍ବର ୩୦ ତାରିଖରେ ଗଞ୍ଜାମ ଜିଲ୍ଲା କୃପାସିନ୍ଧୁପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିଲେ। ପରେ ସେ ଜଣେ ବିଦ୍ଵାନ ଆଇନଜୀବୀ, ବାଗ୍ମୀ ଓ ସମାଜ ସଂସ୍କାରକ ଭାବେ ସମଗ୍ର ରାଜ୍ୟରେ ବେଶ୍ ସୁନାମ ଅର୍ଜନ କରିଥିଲେ।

Comment