ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଏସ୍‌ସିବିରେ ଆଉ ଦୁଇ ଜଣ କୋରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି। ଦୁଇଜଣଙ୍କ ମଧ୍ୟରୁ ଜଣେ ଇଟାଲି ଓ ଅନ୍ୟ ଜଣେ ଓମାନର ବୋଲି ଜଣାପଡ଼ିଛି। ତାଙ୍କୁ କୋରୋନା ଆକ୍ରାନ୍ତ ହୋଇଛି କି ନାହିଁ ଏନେଇ ପରୀକ୍ଷା କରିବାକୁ ଉଭୟଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ଉଭୟଙ୍କର ସାମାନ୍ୟ କାଶ, ଛିଙ୍କ ହେଉଛି। ଅଧିକ ଗୁରୁତର ମଧ୍ୟ ନାହାନ୍ତି। ଉଭୟଙ୍କ ରକ୍ତ ଓ ସ୍ଵାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ କୋରୋନା ଆକ୍ରାନ୍ତ ନା ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି।

ପୂର୍ବରୁ ପାରାଦୀପରୁ ଜଣେ ଦମ୍ପତ୍ତିଙ୍କୁ କୋରୋନା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସାମ୍ପଲ ନେଗେଟିଭ ବାହାରିବା ପରେ ତାଙ୍କୁ ଛଡ଼ା ଯାଇଥିଲା। ପରେ ଆଉ ଜଣେ ବିଦେଶୀ ନାଗରିକ ଭର୍ତ୍ତି ହୋଇଥିଲେ। ପରେ ସେ ଏସ୍‌ସିବିରୁ ଫେରାର ହୋଇଯାଇଥିଲେ। ତାଙ୍କୁ ପରେ ଧରା ଯାଇ ରକ୍ତ ନମୁମା ପରୀକ୍ଷା କରାଯାଇଥିଲା।

ଏଯାଏଁ ରାଜ୍ୟରେ କୌଣସି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ଭାରତରେ ୪୩ ଜଣ କୋରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଓଡ଼ିଶା ସରକାର ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।

Comment