ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କ ଫାଶୀକୁ ଆଉ କିଛି ଦିନ ଥିଲା ବେଳେ ପୁଣି ଚାଲ୍‌ ଖେଳିଛି ଦୋଷୀ ବିନୟ ଶର୍ମା। ମୃତ୍ୟୁଦଣ୍ଡକୁ ରଦ୍ଦ ପାଇଁ ପିଟିସନ୍‌ ଦାଖଲ କରିଛି ବିନୟ। ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ଏହି ପିଟିସନ୍‌ ଦାଖଲ କରାଯାଇଛି। ମୃତ୍ୟୁଦଣ୍ଡକୁ ରଦ୍ଦ କରି ଆଜୀବନ ଜେଲ୍‌ ଦଣ୍ଡ ଦେବାକୁ ପିଟିସନ୍‌ରେ ଅପିଲ କରାଯାଇଛି।

ଦିଲ୍ଲୀ ପଟିୟାଲା ହାଉସ୍‌ କୋର୍ଟ ମାର୍ଚ୍ଚ ୨୦ରେ ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିସାରିଛନ୍ତି। ୨୦ ମାର୍ଚ୍ଚ ସକାଳ ୫ଟା ୩୦ରେ ଫାଶୀ ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ପୁଣି ଫାଶୀରୁ ବଞ୍ଚିବାକୁ ଚାଲ୍‌ ଖେଳିବା ଆରମ୍ଭ କରିଛନ୍ତି ଦୋଷୀ। ଏଭଳି ସ୍ଥିତିରେ ଫାଶୀକୁ ନେଇ ପୁଣି ଅନିଶ୍ଚିତତା ସୃଷ୍ଟି ହୋଇଛି।

ପୂର୍ବରୁ ୩ଥର ଡେଥ ଓ୍ଵାରେଣ୍ଟ ଘୁଞ୍ଚାଯାଇଛି। ପ୍ରଥମ ଡେଥ୍‌ ଓ୍ଵାରେଣ୍ଟ ଜାନୁଆରି ୨୨ ତାରିଖ ରହିଥିଲା। ହେଲେ ଏଥିରୁ ବଞ୍ଚିବାକୁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାଖଲ କରିଥିଲେ। ଫଳରେ ଶୁଣାଣି ପ୍ରକ୍ରିୟାରେ ବିଳମ୍ଵ ହେବାରୁ ଫାଶୀକୁ ଫେବ୍ରୁଆରି ୧ ତାରିଖକୁ ଘୁଞ୍ଚାଯାଇଥିଲା। ପରେ ମାର୍ଚ୍ଚ ୩ ରହିଥିଲା, ହେଲେ ଏହାକୁ ମଧ୍ୟ ଘୁଞ୍ଚାଯାଇ ବର୍ତ୍ତମାନ ମାର୍ଚ୍ଚ ୨୦ ରେ ଫାଶୀ ଦେବାକୁ ଧାର୍ଯ୍ୟ ହୋଇଛି।

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ଦିନ ଧାର୍ଯ୍ୟ ହେଉଥିଲେ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି। ବର୍ତ୍ତମାନ ପୁଣି ଚତୁର୍ଥ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇସାରିଛି। ହେଲେ ଦୋଷୀମାନେ ତାଙ୍କ ଚାଲ୍‌ ଆରମ୍ଭ କରିସାରିଲେଣି। ଏଥର ମଧ୍ୟ ଫାଶୀ ହେବ କି ନାହିଁ? ତାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି।

Comment