ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘ରାଜ୍ୟସଭା ନିର୍ବାଚନରେ ବିଜେଡି ସବୁ ଆସନ ହାତେଇବ। ଗଣିତ ଯାହା କହୁଛି ବିଜେଡି ଚାରିରୁ ଚାରି ଆସନରେ ଜିତିବ। ବିଜେଡି ପାଖରେ ୧୧୩ ବିଧାୟକ ଅଛନ୍ତି। ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଏଣୁ ବିଜେଡି ଜିତିବା ସହଜ। ଆମ ପାଖରେ ସଂଖ୍ୟା ବଳ ନାହିଁ, ଆମେ ପ୍ରାର୍ଥୀ ଦେବୁନି’’, କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ମାର୍ଚ୍ଚ ୨୬ରେ ଚାରିଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ବିଜେଡି ୪ଟି ଆସନରେ ବିଜେଡି ପ୍ରାର୍ଥୀ ଦେଇଛି। ଯଦି ବିଜେପି ଗୋଟିଏ ପ୍ରାର୍ଥୀ ଦେଇଥାନ୍ତା ତାହାଲେ ଚତୁର୍ଥ ଆସନରେ ବିଜେଡି ଜିତିବା କାଠିକର ପାଠ ହୋଇଥାନ୍ତା। ହେଲେ ବିଜେପି ପ୍ରାର୍ଥୀ ଦେବା ନେଇ କୌଣସି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ଏଣୁ ବିଜେପି ପ୍ରାର୍ଥୀ ଦେଇ ନପାରେ ବୋଲି ଚର୍ଚ୍ଚା ହେଉଛି।

ଏପଟେ କଂଗ୍ରେସ ବି ପ୍ରାର୍ଥୀ ଦେବନି। ଏଣୁ ବିଜେଡି ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ବିଜେପି ପ୍ରାର୍ଥୀ ନଦେବାକୁ ନେଇ ନରସିଂହ ତୀର ମାରିଛନ୍ତି।

‘‘ବିଜେପି ଏବଂ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦେଇଥିଲା ଏବଂ ବିଜେଡି ସମର୍ଥନ ଦେଇଥିଲା। ଏଥର ବିଜେଡି ପ୍ରାର୍ଥୀ ଦେଇଛି, ବିଜେପି କୌଣସି ନିଷ୍ପତ୍ତି ନେଇଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଦୁଇ ଦଳ ଭିତରେ ସମ୍ପର୍କ କେମିତି?’’, କହିଛନ୍ତି ନରସିଂହ।

Comment